ଜଷ୍ଟିସ୍‌ ବେଲା ତ୍ରିବେଦୀ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ନୂଆ ଅଧ୍ୟକ୍ଷ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ୍‌ ବେଲା. ଏମ. ତ୍ରିବେଦୀ ନିଯୁକ୍ତ ହୋଇଛନ୍ତି। ଏ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ। ବିଚାରପତି ଜଷ୍ଟିସ୍‌ ଏ.ଏମ.ଖାନୱିଲ୍‌କରଙ୍କୁ ଏହାର ଅଧ୍ୟକ୍ଷ ଓ ବିଚାରପତି ରବିରଞ୍ଜନ ଓ ବିଚାରପତି ଇନ୍ଦରମିତ୍‌ କୌର କୋଚରଙ୍କୁ ସଦସ୍ୟ ରୂପେ ନିଯୁକ୍ତି କରାଯାଇଥିଲା।

ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ.ଖାନୱିଲ୍‌କର ଭାରତର ଲୋକପାଳ ଭାବେ ନିଯୁକ୍ତି ପାଇବା ପରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଥିଲେ। ତେବେ ସାଧାରଣ ନିର୍ବାଚନ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଥିବାବେଳେ ଗତ ୯ ମାସ ଧରି ଏହି ପଦ ଖାଲିପଡ଼ିଥିଲା। କେନ୍ଦ୍ରରେ ନୂତନ ସରକାର ଗଠନ ପରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ପାଇଁ ଜଷ୍ଟିସ୍‌ ବେଲା.ଏମ.ତ୍ରିବେଦୀଙ୍କ ନାମକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ‌ବିଚାରପତି ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବିଚାରପତି ଭାବେ ଅଗଷ୍ଟ ୩୧, ୨୦୨୧ରୁ ଅବସ୍ଥାପିତ ଅଛନ୍ତି।

ପ୍ରକାଶଥାଉକି, ମହାନଦୀ ଟ୍ରିବ୍ୟୁନାଲ ଗଠନ ପରେ ଓଡ଼ିଶାକୁ କିଛି ଆଶ୍ବସ୍ତି ମିଳିନାହିଁ। ଟ୍ରିବ୍ୟୁନାଲଙ୍କ ପକ୍ଷରୁ କୌଣସି ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇନାହିଁ। ଅକ୍ଟୋବର ୨୦୧୮ରୁ ଫେବ୍ରୁଆରି ୨୦୨୪ ପର୍ଯ୍ୟନ୍ତ ମୋଟ ୩୨ ଥର ମାମଲାର ଶୁଣାଣି ‌ହୋଇଛି। ଟ୍ରିବ୍ୟୁନାଲଙ୍କ ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରାଯିବା ପରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ହେଲେ ତତ୍କାଳନୀ ଅଧ୍ୟକ୍ଷ ଜଷ୍ଟିସ୍‌ ଖାନୱିଲ୍‌କର ଲୋକପାଳ ଭାବେ ନିଯୁକ୍ତି ପାଇବା ପରେ ଟ୍ରିବ୍ୟୁନାଲର ଶୁଣାଣିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି ପରେ ବିଚାରଣା ପ୍ରକ୍ରିୟା ଗତି ଧରିବ ବୋଲି ଆଶା କରାଯାଉଛି।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!