ସଂସଦରେ ଠେଲାପେଲା: ଥାନାରେ ପହଞ୍ଚିଲା ମାମଲା

ଗୁରୁବାର ସଂସଦରେ ଖଣ୍ଡଯୁଦ୍ଧ ଲାଗିଛି। କିଛି ସମୟ ପାଇଁ ଆଇନର ମନ୍ଦିର ସଂସଦ ପାଲଟି ଯାଇଥିଲା ଯୁଦ୍ଧ ଭୂମି। କିଏ କାହାର ମୁଣ୍ଡ ପଠାଇ ଦେଲା ତ ଆଉ କାହାର ଆଣ୍ଠୁରେ ଲାଗିଲା ଶକ୍ତ ଆଘାତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ନେଇ ଥିବା ବୟାନ୍‌କୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ଏଭଳି ସ୍ଥିତି ଉପୁଜିଛି। ଆଉ ମାମଲା ଏବେ ଥାନାକୁ ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କିଛି ବିଜେପି ନେତାଙ୍କ ସହିତ ଦିଲ୍ଲୀ ପୁଲିସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସଂସଦ ବାହାରେ ଥିବା ଷ୍ଟ୍ରିଟ୍ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଅଭିଯୋଗ ଦାୟର କରିଛନ୍ତି ଠାକୁର। ଏନେଇ ସେ କହିଛନ୍ତି “ଆମେ ବିଏନଏସର ଧାରା ୧୦, ୧୧୫, ୧୧୭, ୧୨୫, ୧୩୧, ଏବଂ ୩୫୧ ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଛୁ। ଧାରା ୧୦୯ ହତ୍ୟା ଉଦ୍ୟମ, ଧାରା ୧୧୭ ଜାଣିଶୁଣି ଗଭୀର ଆଘାତ ପହଞ୍ଚାଇବା ଅଭିଯୋଗ ଲଗାଯାଇଛି।”

ବିଜେପି ଅଭିଯୋଗ କରିଛି ଯେ ମକର ଦ୍ୱାର ବାହାରେ ଏନଡିଏ ସାଂସଦଙ୍କ ବିରୋଧ କରୁଥିବା ସମୟରେ ରାହୁଲ ଗାନ୍ଧୀ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଠେଲି ଦେଇଥିଲେ। ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଛି। ବିଜେପି ଅନୁଯାୟୀ ଷଡ଼ଙ୍ଗୀ ଏବଂ ଅନ୍ୟ ଜଣେ ବିଜେପି ସାଂସଦ ମୁକେଶ ରାଜପୁତ ଏହି ଘଟଣାରେ ଆହତ ହୋଇଛନ୍ତି। ମୁଣ୍ଡରେ ଆଘାତ ଲାଗି ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

ବିଜେପିର ମାମଲାର ଜବାବ ଦେଇ କଂଗ୍ରେସ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛି। କିଛି ମହିଳା ସାଂସଦଙ୍କ ସହିତ କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପାଲଟା ଅଭିଯୋଗ କରିଛି। ଏହି ଘଟଣା ପଛରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏକ ଷଡଯନ୍ତ୍ର ଲଚୁ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗତକାଲି ଜଣେ ଦଳିତ ନେତାଙ୍କୁ ଯେଉଁଭଳି ଭାବରେ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଆଜି ତାଙ୍କୁ ଠେଲି ଦିଆଗଲା – ଏହା ଏକ ଷଡଯନ୍ତ୍ର ନିଶ୍ଚୟ ବୋଲି ଶ୍ରୀ ତିୱାରୀ କହିଛନ୍ତି। ବିଜେପି ସଂସଦର ଗରିମା ତଳକୁ କରିଦେଉଛନ୍ତି ବୋଲି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।

Post Views2 Total Count

Apply Now


This will close in 0 seconds

error: Content is protected !!