ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ

କେଉଁଠି ସରକାରୀ ଫାଇଦା ନେଉଥିଲେ ଅଣଚାଷୀ, ତ କେଉଁଠି ଦଳୀୟ ଭିତ୍ତିରେ ବଣ୍ଟା ହେଉଥିଲା କାଳିଆ ଟଙ୍କା। ବିଜେଡି ସରକାର ବେଳେ ବଡ଼ ମୁଦ୍ଦା ପାଲଟିଥିଲା ଏ ଅଭିଯୋଗ। କିନ୍ତୁ ଏସବୁ କାରବାରରେ ଲଗାମ ଦେବାକୁ ଆଉ ବାଟମାରଣା ରୋକିବାକୁ ନୂଆ ସରକାର କରିବେ ଚାଷୀ ସର୍ଭେ। ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଖୋଲି ଜାନୁଆରିରୁ ଆରମ୍ଭ କରିବେ ଚାଷୀଙ୍କ ପଞ୍ଜିକରଣ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସଓପି ବାବଦରେ ଅବଗତ କରିଛି କୃଷି ବିଭାଗ । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଚାଷୀ କେମିତି ରେଜିଷ୍ଟ୍ରେସନ୍ କରିବେ ଓ ଏଥିପାଇଁ କଣ କଣ ଡକ୍ୟୁମେଣ୍ଟ ଦେବାକୁ ପଡିବ…

ପ୍ରକୃତ ଚାଷୀ ଖୋଜିବେ ମୋହନ ସରକାର। ନୂଆ ବର୍ଷରୁ ନୂଆ ସର୍ଭେ। ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ମାନଙ୍କୁ ଆକ୍ସନ ପ୍ଲାନ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସଓପିକୁ ପଠାଇଛି କୃଷି ବିଭାଗ। ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ। ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଯେଉଁ ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ( ଯାହା ଭୂଲେଖରେ ରେକର୍ଡ ଥିବ) ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ।

Post Views2 Total Count

Apply Now


This will close in 0 seconds

error: Content is protected !!