ମନମୋହନ ସିଂହଙ୍କ ସ୍ମୃତିରେ ହେବ ସମାଧିସ୍ଥଳ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ନିର୍ମାଣ ହେବ ସ୍ମାରକସ୍ଥଳ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସ୍ମାରକସ୍ଥଳ ନିର୍ମାଣ ବିବାଦ ଭିତରେ କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ସମ୍ପର୍କିତ ମାମଲାରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଡକ୍ଟର ମନମୋହନ ସିଂଙ୍କ ପରିବାରକୁ ଅବଗତ କରାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସେ ଜଣେ ଉଚ୍ଚକୋଟୀର ନେତା ହୋଇଥିବାରୁ ତାଙ୍କ ରାଜନୈତିକ ମର୍ଯ୍ୟାଦା ଅନୁସାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ଅନ୍ତିମ ସଂସ୍କାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଖଡଗେ ।

ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ମଧ୍ଯରେ ଚାଲିଥିଲା ବାକଯୁଦ୍ଧ । ଦେଶର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ଅପମାନିତ କରୁଛି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ । ପୂର୍ବରୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଶୁକ୍ରବାର ଅନୁଷ୍ଠିତ କ୍ଯାବିନେଟ ବୈଠକରେ ମନମୋହନଙ୍କ ପାଇଁ ଏକ ସ୍ମାରକୀ ସ୍ଥଳ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଖଡଗେଙ୍କୁ ସୂଚନା ଦେଇଥିଲେ ଅମିତ ଶାହ । ତେବେ କଂଗ୍ରେସ ଏହି ବିଳମ୍ବକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି ଏବଂ ଏହାକୁ ତାଙ୍କ ସମ୍ମାନରେ ଏକ ବଡ ଅପମାନ ବୋଲି କହିଛି ।

ଗୃହ ମନ୍ତ୍ରଣାଳୟ କହିଛି ଯେ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଏବଂ ମନମୋହନ ସିଂଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ସ୍ମାରକପତ୍ର ପାଇଁ ସରକାର ସ୍ଥାନ ଦେବେ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସ୍ମାରକୀ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ଏବଂ ଭବିଷ୍ୟତ ପିଢୀ ଏଥିରୁ ପ୍ରେରଣା ପାଇପାରିବେ । ଗତ ଗୁରୁବାର ବିଳମ୍ବିତ ରାତିରେ ଡକ୍ଟର ମନମୋହନ ସିଂଙ୍କର ଦେହାନ୍ତ ହୋଇଛି ଏବଂ ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଶେଷ ରୀତିନୀତି ତଥା ଅନ୍ୟାନ୍ୟ ଆନୁଷ୍ଠାନିକତା ପରେ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ଡକ୍ଟର ମନମୋହନ ସିଂଙ୍କ ଅବଦାନ ଏବଂ ତାଙ୍କ ପ୍ରତି ସମ୍ମାନର ଭାବନାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଆରମ୍ଭ ହେବ।

Post Views24 Total Count

Apply Now


This will close in 0 seconds

error: Content is protected !!