କେରଳୀ ନର୍ସଙ୍କ ମୃତ୍ୟୁଦଣ୍ଡକୁ ସ୍ବୀକାର କଲେ ୟେମେନ ରାଷ୍ଟ୍ରପତି

ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ। ଆମେ ଏଠାରେ ୨୦୧୭ରୁ ‌ୟେମେନ ଜେଲରେ ଥିବା ନିମିଶା ପ୍ରିୟାଙ୍କ କଥା କହୁଛୁ। ୨୦୧୮ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ଏବେ ୟେମେନ ରାଷ୍ଟ୍ରପତି ରଶଦ ଅଲ-ଅଲିମି ତାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଏହା ପରେ ତାଙ୍କ ପାଖରେ ଆଉ ମାତ୍ର ମାସେ ସମୟ ରହିଯାଇଛି। ଏହି ଖବର ପାଇ ଝିଅକୁ ବଞ୍ଚାଇବା ପାଇଁ ଦୀର୍ଘ ବର୍ଷ ହେଲାଣି ସଂଘର୍ଷ କରିଆସୁଥିବା ପରିବାର ଏବେ ଭାଙ୍ଗିପଡ଼ିଛି।

ସୂଚନ ମୁତାବକ, ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ୨୦୧୭ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କ ମୃତ୍ୟୁ ଦଣ୍ଡ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ବିବୃତି ଜାରି କରି କହିଛନ୍ତି ଯେ, “ଆମେ ଜାଣୁ ଯେ ନର୍ସ ପ୍ରିୟାଙ୍କ ପରିବାର ଏକ ପ୍ରାସଙ୍ଗିକ ବିକଳ୍ପ ଖୋଜୁଛନ୍ତି। ଏହି ପ୍ରସଙ୍ଗରେ ସରକାର ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି।”

ଉଲ୍ଲେଖଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ବର୍ତ୍ତମାନ ୟେମେନର ରାଷ୍ଟ୍ରପତି ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଛନ୍ତି। ନର୍ସଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନଦେବାରୁ ଏବେ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଛି।

Post Views49 Total Count

Apply Now


This will close in 0 seconds

error: Content is protected !!