୩୨ ହଜାର କୋଟିର ନିବେଶ : ରାଜ୍ୟରେ ୮ ପ୍ରକଳ୍ପକୁ ମଞ୍ଜୁରୀ

ଉତ୍କର୍ଷ ଓଡିଶା, ମେକ ଇନ ଓଡିଶା ୨୦୨୫କୁ ନେଇ ବେଶ ଉତ୍ସାହିତ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୩୨ ହଜାର ୭୩୬ କୋଟିର ନିବେଶକୁ ଅନୁମୋଦନ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ଟି ବଡ଼ ଶିଳ୍ପ ପ୍ରକଳ୍ପରେ ନିବେଶ ହେବ । ଏହା ଦ୍ବାରା ୧୮,୬୮୮ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ମୋହନ ସରକାର ସମନ୍ବିତ ଶିଳ୍ପର ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ଏହି କ୍ରମରେ ରସାୟନ, ସବୁଜ ଶକ୍ତି ଯନ୍ତ୍ରପାତି, ଜାହାଜ ତିଆରି ଓ ମରାମତି ସାଙ୍ଗକୁ ଇସ୍ପାତ ଭଳି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଛି । ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର ଓ ସମ୍ବଲପୁରରେ ହେବାକୁ ଥିବା ଏହି ଶିଳ୍ପ ଦ୍ବାରା ଅର୍ଥନୈତିକ ବିକାଶ ସାଙ୍ଗକୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମଞ୍ଜୁରୀ ପାଇଥିବା କମ୍ପାନୀ ମଧ୍ୟରେ ରହିଛି ଖୋର୍ଦ୍ଧାରେ ପ୍ରସ୍ତାବିତ ସବୁଜ ଶକ୍ତି ଯନ୍ତ୍ରପାତି କାରଖାନା । ଏଥିପାଇଁ ଖୋସମା ଗ୍ରୀନ ଏନର୍ଜି ୬,୯୪୮ କୋଟି ଟଙ୍କା ନିବେଶ କରିବ । ଏହା ଦ୍ୱାରା ୨,୮୯୮ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜଗତସିଂହପୁରରେ ଧୁନସେରୀ ଭେଞ୍ଚର୍ସ ପକ୍ଷରୁ ରସାୟନ କାରଖାନା ପାଇଁ ୬,୨୫୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ୧,୯୦୦ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସେହିପରି ୟୁନାଇଟେଡ ପେଟ୍ରୋ ସିପିଙ୍ଗ ପକ୍ଷରୁ ୫,୬୩୭ କୋଟି ନିବେଶରେ ଜାହାଜ ତିଆରି ଓ ମରାମତି କାରଖାନା ପ୍ରତିଷ୍ଠା କରାଯିବ । ଜଗତସିଂହପୁରରେ ପ୍ରସ୍ତାବିତ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୧,୬୯୦ ନିଯୁକ୍ତି ସୃଷ୍ଟି ହେବ ।

Post Views2 Total Count

Apply Now


This will close in 0 seconds

error: Content is protected !!