ଢେଙ୍କାନାଳ ପୌରାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ

ପୌରାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ ଏହି ଜଳକ୍ଲୀଷ୍ଟ ଆହୁରି ଦୁଃଖ ଦେଉଛି। ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ପୌରାଞ୍ଚଳର ପାନୀୟ ଜଳ ସଙ୍କଟ ଉପରେ ଏକ ସର୍ଭେ କରି ଏହାର ସମସ୍ୟା ଏବଂ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୌରାଞ୍ଚଳ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ରାହ୍ମଣୀ ନଦୀ ଏବଂ ଗଜମରା ସ୍ଥିତ ବାଞ୍ଝକୁସୁମ ଠାରୁ ଯୋଗାଉଛି । ତାଛଡା ସ୍ଥାନୀୟ ଲୋକମାନେ ନିଜ ନିଜ ପୁରୁଣା କୂଅ ଓ ଗଭୀର ନଳ କୂପ ଉପରେ ନିର୍ଭର କରୁଥିଲେ । ଗତ ବର୍ଷ ଠାରୁ ପୋଖରୀ ଗୁଡ଼ିକର ପଙ୍କ ଉଦ୍ଧାର କାମ ଯୋଗୁଁ ପୁରୁଣା କୂଅ ଓ ଗଭୀର ନଳ କୂପ ଗୁଡିକ ୱାଟର ରିଚାର୍ଜ ହୋଇପାରୁନି । ସେହିପରି ଭାଗିରଥି ସାଗରର ପଙ୍କ ଉଦ୍ଧାର କାମ ଚାଲିଥିବାରୁ ପୋଖରୀ ଚତୁର୍ପାଶ୍ୱ ଅଞ୍ଚଳର ପୁରୁଣା କୂଅ ଓ ଗଭୀର ନାଳକୂପ ୱାଟର ରିଚାର୍ଜ ହୋଇପାରୁନାହିଁ ।ଫଳରେ କୂଅ ଗୁଡିକ ଶୁଖିଲା ପଡ଼ିଛି । ଲୋକମାନେ ରୋଷଇ, ସ୍ନାନାଦି କର୍ମ ସେହି ସପ୍ଲାଇ ପାଣି ଉପରେ ନିର୍ଭର କରୁଛନ୍ତି ।ପୂର୍ବରୁ ଜିଲ୍ଲାପାଳ ଏବଂ ଜନପ୍ରତିନିଧି ମାନେ ଦୁଇ ବେଳା ପାନୀୟଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ଗ୍ରୀଷ୍ମ ସମୟରେ ଦିନକୁ ଥରେ ମଧ୍ଯ ପିଇବାକୁ ପାଣି ମିଳୁନାହିଁ। ୱାର୍ଡ ନଂ ୧୧, ୧୨ ଓ ୧୩ ରେ ପାନୀୟ ଜଳ ଯୋଗାଣର କୌଣସି ସଠିକ ସମୟ ନାହିଁ ।

ଏହି ପରିପ୍ରେକ୍ଷୀରେ ଆଜି ସହରାଞ୍ଚଳ ଜଳଯୋଗାଣ ଯନ୍ତ୍ରୀ ସୁଧାଂଶୁ ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ବ୍ରାହ୍ମଣୀ ନଦୀରୁ ଯେଉଁ ଜଳ ଆସୁଛି ସେଥିରୁ ୪୦ ପ୍ରତିଶତ ଜଳ ରାସ୍ତାରେ ଗେଙ୍ଗୁଟିଆ ଏବଂ ଅନ୍ୟ ଗ୍ରାମରେ ଯୋର ଜବରଦସ୍ତ ପାଇପ୍ କଣା କରି ନେଇଯାଉଛନ୍ତି ଏବଂ କିଛି ନଷ୍ଟ ହେଉଛି । ଦ୍ବିତୀୟରେ ମହିଷାପାଟ ବାଞ୍ଝିକୁସୁମ ଠାରୁ ମଧ୍ଯ ପାଣି ଆସିଲେ ସେହି ଅବସ୍ଥା। ସେଥିପାଇଁ ଅନେକ ୱାର୍ଡରେ ଦିନକୁ ଥରେ ମଧ୍ଯ ପାନୀୟଜଳ ମିଳୁ ନାହିଁ । ସରକାରଙ୍କ ତଥ୍ୟ ଅନୁସାରେ ୨୩ଟି ଜିଲ୍ଲାର ଜଳ ସ୍ତର ଏବେ ତଳକୁ ଚାଲିଗଲାଣି । ସୁଚାରୁରୂପେ ଜଳଯୋଗାଣ ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି : ଏହି ଗ୍ରୀଷ୍ମ ସମୟରେ ସହରବାସୀଙ୍କୁ ଅନ୍ୟୁନ ଦିନକୁ ଥରେ (ଦଶରୁ କୋଡିଏ ମିନିଟ) ଜଳ ଯୋଗାଣ କରାଯାଉ, ସହର ମଧ୍ୟରେ ପିଏଚଇଡ଼ି ଜଳକୁ ଅପଚୟ କରୁଥିବା ସଂସ୍ଥା ବା ବ୍ୟବସାୟ କେନ୍ଦ୍ରକୁ କଣ୍ଟ୍ରୋଲ କରାଯାଉ, ରାସ୍ତା କଡ଼ରେ ଚାଲୁଥିବା ଚାରିଚକିଆ ଯାନ ସର୍ଭିସ୍ ସେଣ୍ଟରକୁ ଜଳ ଯୋଗାଣ ବନ୍ଦ ହେଉ, ଏହି ଗ୍ରୀଷ୍ମ ପ୍ରବାହ ସମୟରେ ମହିଷାପାଟ ଏବଂ ଗେଙ୍ଗୁଟିଆ ଗ୍ରାମ ପାଖରେ ନଷ୍ଟ ହେଉଥିବା ୪୦% ପାଣିକୁ ପୋଲିସ ସୁରକ୍ଷା ଦେଇ ସହରକୁ ପାନୀୟଜଳ ଯୋଗା ଯାଉ ଏବଂ ଓ୍ବାର୍ଡ ନଂ ୧, ୨, ୩, ୪, ୧୧, ୧୨ ୧୩, ୧୪ ର ଗୁଡ଼ିଆନାଳି, ଗାନ୍ଧୀମନ୍ଦିର ରୋଡ଼, କୁମ୍ଭାର ସାହି, ମୁସଲିମ ବସ୍ତି, ଭାଗିରଥି ବିହାର, ଧୋବାସାହି ଇତ୍ୟାଦି ମାନଙ୍କରେ ପ୍ରତିଦିନ ଜଳଯୋଗାଣ ଠିକ୍ ଭାବରେ ହୋଇପାରୁ ନାହିଁ, ପ୍ରତ୍ୟେକ ଦିନ ପାନୀୟଜଳ ଯୋଗାଇ ଦିଆଯାଉ । ଆବଶ୍ୟକ ସ୍ଥଳେ ବ୍ରାହ୍ମଣୀ ନଦୀ କୂଳ ଓ ବାଞ୍ଝିକୁସୁମ ଠାରେ ଆଉ କିଛି ଗଭୀର ନଳକୂପ ଖନନ କରାଯାଉ ଓ ଏହି ଗ୍ରୀଷ୍ମ ସମୟରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ।

Post Views3 Total Count

Apply Now


This will close in 0 seconds

error: Content is protected !!