ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପାୟନର ସ୍ଥିର ବିକାଶକୁ ସୁନିଶ୍ଚିତ କରିଛି । ଗସ୍ତର ପ୍ରଥମ ଦିନରେ ୧୪ଟି କମ୍ପାନୀ ରାଜ୍ୟରେ ୩ ହଜାର କୋଟିରୁ ଊର୍ଦ୍ଧ୍ବ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହ ୨୭ ହଜାର ୫୯୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୮ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ରାଜ୍ୟରେ ଆଇଟି ଓ ଆଇଟିଇ କ୍ଷେତ୍ରରେ ପଦକ୍ଷେପ ପାଇଁ ଏଚସିଏଲ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଓଡ଼ିଶାରେ ଏଚସିଏଲ କ୍ୟାମ୍ପସ କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡାରେ ଏଚସିଏଲ ଟେକ କ୍ୟାମ୍ପସକୁ ବୁଲି ଦେଖିଛନ୍ତି । ଏହା ସହ କମ୍ପାନୀ ଅଧ୍ୟକ୍ଷ ରୋଶନୀ ମାଲହୋତ୍ରାଙ୍କ ସହ ରାଜ୍ୟରେ ଏଚସିଏଲ କ୍ୟାମ୍ପସ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଓଡିଶାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଉଛି । ଏଥିସହିତ ରାଜ୍ୟରେ ଆଇଟିର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର ମଧ୍ୟ ପୁଞ୍ଜିନିବେଶ ପାଇଁ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଓଡିଶାରେ ଆଇଟି ଶିଳ୍ପର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମିଳିତ ଭାବେ କିଭଳି ରାଜ୍ୟରେ ଏଚସିଏଲ କ୍ୟାମ୍ପସ ପ୍ରତିଷ୍ଠା ହୋଇପାରିବ, ସେନେଇ ସକରାତ୍ମକ ଆଲୋଚନା ହୋଇଛି ।”

