ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ାରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି।ଦୁର୍ଘଟଣା ସମୟରେ ପୋଲ ଉପରେ ୧୨୫ ଜଣ ପର୍ଯ୍ୟଟକ ଥିଲେ ଏବଂ ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ପୋଲ ଉପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି।
ଅପରାହ୍ଣ ପ୍ରାୟ ୩ଟା ୪୦ରେ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଥିବା ପଥର ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ ଏବଂ ଅଧିକାଂଶ ଲୋକ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଏନ୍ଡିଆର୍ଏଫ୍ କହିଛି ଯେ ୩୮ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୬ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

