ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି।ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍ସରେ ନାବାଳିକାଙ୍କ ଚିକିତ୍ସା ଚାଲିଥିବା ବେଳେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ପ୍ରଭାତୀ ପରିଡ଼ା।

