ଆଉ ଖୋଲାରେ ମିଳିବ ନାହିଁ ପେଟ୍ରୋଲ

ଗୋଟିଏ ସପ୍ତାହ ଭିତରେ ରାଜ୍ୟରେ ନିଆଁରେ ପୋଡ଼ିଯିବା ଦୁଇ ଦୁଇଟି ଘଟଣା ପୂରା ସରକାରଙ୍କୁ ଦୋହଲାଇ ଦେଇଛି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଏବଂ ବଳଙ୍ଗାରେ ନାବାଳିକା ପୋଡ଼ିଦେବା ଘଟଣାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଚେତି ଉଠିଛନ୍ତି ସରକାର। ଏବେ ଖୋଲାରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏ ନେଇ ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ। ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଅନ୍ୟପଟେ ରାଜ୍ୟରେ ସାଂପ୍ରତିକ ଘଟଣାକୁ ଦେଖି ଆସନ୍ତାକାଲିଠାରୁ ଆଉ ଖୋଲାରେ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର। ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ହିଁ ପେଟ୍ରୋଲ୍ ଦିଆଯିବ।ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି। ଫଳରେ ଏବେ ଆଉ କେହି ବି ବୋତଲ ନେଇକି ଗଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ନାହିଁ।

ସଂଘ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ବୋତଲ ଉପରେ କଡ଼ା କଟକଣା ରହିବ। ଏ ନେଇ ସଂଘର ମିଟିଂ ସରିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେବଳ ସାମ୍ପୁଲ ଓ ଗାଡ଼ିରେ ପେଟ୍ରୋଲ ଦେବାକୁ ନିୟମ କରାଯାଇଛି। ତେଣୁ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ। ଅତି ଆବଶ୍ୟକ ପରିସ୍ଥିତିରେ ପେଟ୍ରୋଲ କ୍ରେତାଙ୍କ ଆଧାରକାର୍ଡ଼ ଜେରକ୍ସ ରଖି ପେଟ୍ରୋଲ ଦିଆଯିବ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା। ରାଜନୀତି ଚରମରେ ପହଞ୍ଚିଥିଲା। କିଏ ପେଟ୍ରୋଲ ନେଇ ପୀଡ଼ିତାଙ୍କୁ ଦେଲା। ପେଟ୍ରୋଲ ପମ୍ପରୁ କିଏ ଖୋଲାରେ ପେଟ୍ରୋଲ ଦେଲା ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି। ସ୍ଥିତିକୁ ଦେଖି ଏବେ ରାଜ୍ୟ ସରକାରଙ୍କ ସହ ପେଟ୍ରୋଲ ପମ୍ପ ସଂଘ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।

Post Views65 Total Count

Apply Now


This will close in 0 seconds

error: Content is protected !!