ଲୋକସେବା ଭବନ କନଭେନସନ ହଲ୍ରେ ଶୁଭାରମ୍ଭ ହେଲେ ‘ଓଡ଼ିଶା ଟେକ୍ସ ୨୦୨୫’ । ଏହି ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଛନ୍ତି ।
ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ଓଡିଶା ଟେକ୍ସଟାଇଲ କନ୍କ୍ଲେଭ୍ରେ ଏହା ଘୋଷଣା କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍ୱିୟର ପାର୍କର ଲୋକାର୍ପଣ କରିଥିଲେ।
ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ-ଟେକ୍ସ ୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍କ୍ଲେଭ୍। ଆଜିର କନ୍କ୍ଲେଭ୍ରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗଦେଇଥିଲେ। ବିଶ୍ୱର ନାମୀଦାମୀ ବ୍ରାଣ୍ଡ Page Industries, First Step Baby Wear, KPR Mills, Sportking, Adarsh Knitwear, Anubhav Apparels, Bon & Co., and B.L. ପ୍ରମୁଖ ଏହି କନ୍କ୍ଲେଭ୍ରେ ଅଂଶଗ୍ରହଣ କରିଥିଲେ ଓ ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ପ୍ରାୟ ସମସ୍ତ ଶିଳ୍ପପତି ଉପସ୍ଥିତ ଥିଲେ। ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନ୍କ୍ଲେଭ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

