ବହୁ ପ୍ରତୀକ୍ଷା ପରେ ରାଜ୍ୟ ମହିଳା ଆୟୋଗ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷ ସହ ସଦସ୍ୟ ନିଯୁକ୍ତି କରିଛନ୍ତି ସରକାର । ଅନ୍ୟ ନିଗମ, ବୋର୍ଡରେ ନିଯୁକ୍ତି କେବେ ? ଆଶାୟୀମାନେ ଏ ପ୍ରଶ୍ନର ଉତ୍ତର ପାଇବାକୁ ଛଟପଟ ହେଉଥିଲା ବେଳେ ୨୦ ତାରିଖ ପରେ ଏ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାଛଡ଼ା ରାଜ୍ୟ ବିଜେପିର ବିଭିନ୍ନ କମିଟିର ଘୋଷଣା ମଧ୍ୟ ଆଗକୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ ଗସ୍ତରୁ ଫେରି ମନମୋହନ କହିଛନ୍ତି, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ନିର୍ଦ୍ଦିଷ୍ଟ ତାରିଖ ସେ କହିପାରିବେନି । କିନ୍ତୁ ଭାରତୀୟ ଜନତା ପାର୍ଟିର ନିଗମ, ବୋର୍ଡ ଏବଂ ଦଳୀୟ କମିଟି ତାଲିକା ଦିଲ୍ଲୀରେ ହୁଏନି । ଏହା ଓଡ଼ିଶାରେ ହିଁ ହୁଏ । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତୃବୃନ୍ଦଙ୍କ ସହ ଏ ସମ୍ପର୍କରେ ବୈଠକ ବସି ଚର୍ଚ୍ଚା ହୋଇଛି । ଆଗକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ଘୋଷଣା ହୋଇପାରେ । ଶ୍ରୀ ସାମଲଙ୍କ ଏ ସୂଚନା ଆଶାୟୀମାନଙ୍କ ହୃତ୍ସ୍ପନ୍ଦନ ବଢ଼ାଇ ଦେଇଛି।

