ପଞ୍ଚଭୂତରେ ଲୀନ ହେଲେ ସହିଦ ମନୋଜ ବିଶ୍ୱାଳ

ଜମ୍ମୁ-କଶ୍ମୀରର କିସ୍ତ ୱାରଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ସହିଦ ହୋଇଛନ୍ତି ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ । ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା ବେଳେ ଆଜି ସକାଳୁ ନିଜ ଗାଁ ମାଣିକମରାରେ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ପରିବାର ଲୋକ, ଆତ୍ମୀୟ ସ୍ୱଜନ, ଗ୍ରାମବାସୀଙ୍କ କାନ୍ଦବୋବାଳିରେ ପୁରା ପରିବେଶ କମ୍ପୁଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ବୀର ଯବାନ ମନୋଜ ବିଶ୍ୱାଳ ଅମର ରହେର ସ୍ଲୋଗାନ ।

ଗାଁର ବୀରପୁଅକୁ ସବୁଦିନ ପାଇଁ ବିଦାୟ ଦେବାପାଇଁ ଗାଁ ମଶାଣି ପ୍ରସ୍ତୁତ ଥିବାବେଳେ ଗ୍ରାମବାସୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାଜାବାଣ ବଜାଇ ଗ୍ରାମ ପରିକ୍ରମା କରି ଶ୍ମଶାନ ନିକଟରେ ପହଞ୍ଚିଥିଲେ ।ଶ୍ମଶାନରେ ପ୍ରଶାସନ ତରଫରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇ ନଥିବାରୁ ଗ୍ରାମବାସୀମାନେ ପରଜଙ୍ଗ ବିଡିଓ ଓ ଅତିରିକ୍ତ ତହସିଲଦାରଙ୍କୁ ଘେରାଉ କରିବା ସହ ପ୍ରଶାସନ ତରଫରୁ ସହିଦଙ୍କୁ ଅସମ୍ମାନ କରାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ପରେ ସିଆଇଏସଏଫ୍ ତରଫରୁ ଶ୍ମଶାନଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ବେଳେ ସହିଦ ମନୋଜଙ୍କ ବଡ଼ ଝିଅ ବାପାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ । ମନୋଜଙ୍କର ଶେଷ ଦର୍ଶନ କରିବାକୁ ଶ୍ମଶାନ ନିକଟରେ ପରଜଙ୍ଗର ପୂର୍ବତନ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ଢେଙ୍କାନାଳର ପୂର୍ବତନ ଏମପି ମହେଶ ସାହୁଙ୍କ ସମେତ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ପଞ୍ଚଭୂତରେ ଲୀନ ହୋଇ ଯାଇଛି ସହିଦ ମନୋଜଙ୍କ ପାର୍ଥିବ ଶରୀର । ତେବେ ପ୍ରଶାସନର ଅବ୍ୟବସ୍ଥାକୁ ନେଇ ମହେଶ ସାହୁ କଡ଼ା ଭାଷ‌ୋରେ ନିନ୍ଦା କରିଛନ୍ତି ।

Post Views12 Total Count

Apply Now


This will close in 0 seconds

error: Content is protected !!