ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ(ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକାଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓଡିଶା ଓ ବିକଶିତ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛୁ। ଏଥି ସହିତ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ଓଡିଶାକୁ ସ୍ଥାନ ଦେବା ପାଇଁ ମଧ୍ୟ ଆମେ ଉଦ୍ୟମ ଜାରିରଖିଛୁ।

ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍ ଇଞ୍ଜିନ୍ସ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ଆମର ସାମଗ୍ରିକ ବିକାଶ ଆବଶ୍ୟକ।
ଆହୁରି ମଧ୍ୟ ଏହି ଲକ୍ଷ୍ୟ ହାସଲ ପାଇଁ ଆମର ଖଣି ଏବଂ ଧାତୁ, କେମିକାଲ୍ସ-ପେଟ୍ରୋକେମିକାଲ୍ସ, ଆଇ.ଟି, ଷ୍ଟାର୍ଟଅପ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା କରଣ, ପର୍ଯ୍ୟଟନ, ଏମ୍ଏସ୍ଏମ୍ଇ ଆଦି କ୍ଷେତ୍ରର ବିକାଶକୁ ମଧ୍ୟ ଗୁରୁତ୍ୱ ଦେଉଛୁ। ଓଡିଶାରେ ବିକାଶ କୌଣସି ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ବର୍ଗଙ୍କ ପାଇଁ ହେବନାହିଁ। ଏହା ହେବ ସମାବେଶୀ ବିକାଶ।
ଏଥିପାଇଁ ଆମେ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛୁ, ଏହା ହେଉଛି ଆମ ରାଜ୍ୟର ସାଢେ ଚାରିକୋଟି ଲୋକଙ୍କ ସାମୂହିକ ସ୍ୱପ୍ନର ଦସ୍ତାବିଜ୍।
ଏହି ଡକୁମେଣ୍ଟଟି ଆମର ଗ୍ରାମାଞ୍ଚଳ, ସହରାଞ୍ଚଳ ଏପରିକି ପ୍ରବାସରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ଆଶା, ଆକାଂକ୍ଷାକୁ ନେଇ ପ୍ରସ୍ତୁତ କରାଯାଇଛି।
ସମୃଦ୍ଧ ଓଡିଶା ଗଠନ ପାଇଁ ଆମକୁ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପଡିବ। ଶିକ୍ଷା, ସ୍ୱାସ୍ଥ୍ୟଠୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ।ଏହା ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ, ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ କରିବାକୁ ପଡିବ।
ଓଡିଶାର ଖଣିଜ ସମ୍ପଦର ଉପଯୋଗରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ଏକ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବା ପାଇଁ ମଧ୍ୟ ଆମର ଉଦ୍ୟମ ଅବ୍ୟାହତ ରହିଛି।

ଆପଣ ମାନଙ୍କ ଜରିଆରେ ମୁଁ ରାଜ୍ୟ ବାସୀଙ୍କୁ କହିବାକୁ ଚାହୁଁଛି, ପ୍ରତ୍ୟେକ ନାଗରିକ ହେଉଛନ୍ତି ଆମ ବିକଶିତ ଓଡିଶାର ଜଣେ ଜଣେ ଅଶୀଂଦାର। ଏହି ବିକାଶ ଯାତ୍ରା ଆପଣ ମାନଙ୍କର ସମସ୍ତଙ୍କର। ଆମ ସମସ୍ତଙ୍କର ସାମୂହିକ ଉଦ୍ୟମରେ ଆସନ୍ତୁ ଆମ ଓଡିଶାକୁ ସମୃଦ୍ଧ ଓ ବିକଶିତ କରିବା।
କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଆଇସିସି ର ଅଧ୍ୟକ୍ଷ ରାଜୀବ ସାହୁ କହିଥିଲେ ଓଡିଶା ୨୦୩୬ ବିକଶିତ ହେବା ପାଇଁ ଲକ୍ଷ୍ୟ ରହିଛି। ସରକାର ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଇସିସି ଗୁଣ୍ଡୁଚି ମୂଷା ପରି ସାହାଯ୍ୟ କରୁଛି। ଓଡିଶାର ଅର୍ଥନୀତି ବୃଦ୍ଧି ପାଉଛି। ଓଡିଶାରେ ସୀମିତ ସ୍କୋପ ଥିବା ଯୋଗୁ ଯୁବପିଢୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଓଡିଶାରେ ପାଚୁର୍ଯ୍ୟ ସମ୍ପଦ ଭରି ରହିଛି। ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କହିଥିଲେ ସାରା ବିଶ୍ବରେ ଯାହା ଅଛି ତାହା ଓଡିଶାରେ ରହିଛି। ଆମ ପାଖରେ ମାଇନ୍ସ , ମିନେରାଲ ଅଛି। ଆମ ପାଖରେ କିଛି କମି ନାହିଁ। ଓଡିଶାରେ ରୂପାନ୍ତରିତ କରିବାକୁ ଆମର ଦୃଢ ଇଛା ଶକ୍ତି ଆବଶ୍ୟକ। ଆମେ କଠିନ ପରିଶ୍ରମ ଯଦି କରିବା ଯାହା ୫୦ ବର୍ଷରେ ହୋଇପାରିନି ତାହା ୫ ବର୍ଷରେ ହୋଇପାରିବ। ବିକଶିତ ଓଡିଶା ପାଇଁ ପରିଶ୍ରମ କଲେ ଆମେ ଶାଗ ମାଛରେ ଖଣି ଖାଦନ ବିକିବା ନାହିଁ। ଆମ ଲୋକ ଦାଦନ ଯିବେ ନାହିଁ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ କହିଥିଲେ ଯେ ଆଜି ଶିଳ୍ପ କ୍ଷେତ୍ରରେ ଆମେ ଆଗକୁ ବଢୁଛୁ। ଆମ ସରକାର ଶିଳ୍ପ କ୍ଷେତ୍ରରେ ବଢିବାକୁ ପ୍ରାଥମିକତା ଦେଉଛନ୍ତି। ଆମ ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ କିଭଳି ବାସ୍ତବିକତା ନେବ ତାହା ଆମର ପ୍ରଥମ ପ୍ରାଥମିକତା। ଓଡିଶାରେ ମାଇନିଂ ଥିବା କାରଣରୁ ମାଇନିଂ ବେସ୍ ଶିଳ୍ପ ଗଢିଉଠିଛି। ଯଦି ପାରାଦୀପରେ ନାଥା କାକର ପ୍ଲାଣ୍ଟ ହେବ ତେବେ ପେଟ୍ରୋ କେମିକାଲରେ ଆମେ ଅନେକ ଆଗକୁ ଯାଇପାରିବା। ଓଡିଶାରେ ଏମଏସଏମଇ କ୍ଷେତ୍ରରେ ପ୍ରାଥମିକତା ରହୁଛି। ଓଡିଶାରେ ଯୁବ ମାନବସମ୍ବଳକୁ କିଭଳି ଦକ୍ଷ କରାଯିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଓଡିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଆମ ସରକାର କାମ କରୁଛି।
ଏମଏସଏମଇ ତଥା ମତ୍ସ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଓଡିଶାରେ ବିକଶିତ ଓଡିଶା ଗଠନ ପାଇଁ ସମୟ ଧାର୍ଯ୍ୟ ହୋଇସାରିଛି। ବିକଶିତ ରାଜ୍ୟ ଓ ରାଷ୍ଟ୍ର ପାଇଁ ସୁସ୍ଥ ସମାଜ ଆବଶ୍ୟକ। ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ରହିଛି। ଆମେ ଚିନ୍ତା କରିବା ସ୍ବପ୍ନ ଦେଖିଲେ ହେବ ନାହିଁ କଠିନ ପରିଶ୍ରମ ଦରକାର। ଆମ ପାଖରେ ପ୍ରଚୁର ସମ୍ପଦ ରହିଛି। ଆମ ପାଖରେ ଯୁବଶକ୍ତି ଅଛି। ଆମେ ସେମାନଙ୍କୁ ଉପଯୋଗୀ କରି ଆଗକୁ ଯିବା ଦରକାର। ତେବେ ଯାଇ ବିକଶିତ ଓଡିଶା ସ୍ବପ୍ନ ପୁରଣ ହୋଇପାରିବ। ଏମ୍ଏସ୍ଏମ୍ଇ ଛୋଟ ସିନା ହେଲେ ଦାନ ତାହା ମହାନ୍। ଦେଶରେ ଜିଡିପିରେ ଏମଏସଏମଇର ୩୦ ପ୍ରତିଶତ ଯୋଗଦାନ ରହିଛି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ବିକଶିତ ଆଡକୁ ଅଗ୍ରସର ହେଉଛି। କେବଳ ସରକାର ଚାହିଁଲେ ବିକଶିତ ଓଡିଶା ହେବ ନାହିଁ ସବୁ କ୍ଷେତ୍ରରେ ଉଦ୍ୟମ ଦରକାର। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ଆମ ସରକାର ବର୍ଷେ ଦୁଇ ମାସର ସରକାର। ସମସ୍ତେ କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ବିକଶିତ ହେଉଛି। ଆମ ପାଖରେ ୩୮୬ ଖଣି, ୫୭ ଆଇରନ୍ ରହିଛି। ଦେଶର ମାନଚିତ୍ରରେ ଓଡିଶାର ଖଣିର ସ୍ଥାନ ଉପରେ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ସହରିକରଣର ବିକାଶ ହୋଇନି। ଆମେ ବହୁତ ତଳେ ରହିଛୁ। ସ୍ବଚ୍ଛତା ମଣିଷର ସଭ୍ୟତାର ପରିଚୟ ଦିଏ। ଡ୍ରେନରେ ଭାସି ଯାଉଛନ୍ତି, ରାସ୍ତାରେ ପାଣି ରହୁଥିଲା। ଆମ ସରକାର ଆସିବା ପରେ ଏସବୁ କିଭଳି ପୁନରାବୃତି ତାହା ଉପରେ ଧ୍ୟାନ ଦେଉଛୁ। କେବଳ ଭୁବନେଶ୍ବର ନୁହେଁ ସବୁ ସହର ଉପରେ ଧ୍ୟାନ ଦେଉଛୁ। କେଉଁ ସହରକୁ ଏନଏସି ମାନ୍ୟତା ଦେବୁ ତାହା ଉପରେ ପକ୍ରିୟା ଆରମ୍ଭ ହୋଇଛି। କୌଣସି ସହରକୁ ପ୍ଲାନିଂ ଅନୁସାରେ ସହରୀକରଣ କରାଯାଇନି। ନନ୍ ପ୍ଲାନିଂ ଅନୁଯାୟୀ ହୋଇଛି । ଆମ ସରକାର ଆସିବା ପରେ ପରେ ପ୍ଲାନିଂ ଅନୁଯାୟୀ କାମ ହେଉଛି। ୨୦୩୬ ସୁଦ୍ଧା ୩୬ରୁ ୪୦ ପ୍ରତିଶତ ସହରୀକରଣ ପାଇଁ ଲକ୍ଷ୍ୟ ରହିଛି। ଲଘୁ ଉଦ୍ୟୋଗୀ ଭାରତୀ ସଭାପତି ଗୋପାଳ ଦାସ ଅଗ୍ରୱାଲ, ଅତିରିକ୍ତ ମୁଖ୍ୟ ସଚିବ ତଥା ଇପିକଲ୍ରଚେୟାରମ୍ୟାନ୍ ହେମନ୍ତ ଶର୍ମା ,ପ୍ରମଖ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଜାତୀୟ କାର୍ଯକାରିଣୀ ସଦସ୍ୟ ତଥା ପ୍ରଭାରୀ ଓଡିଶା ସରୋଜ କୁମାର ସାହୁ ନିଜର ବକ୍ତବ୍ୟ ରଖିଥିଲେ। ଆଇସିସି ଡିଜି ଡ.ରାଜୀବ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଆଇସିସିର ଆଞ୍ଚଳିକ ନିର୍ଦ୍ଦେଶକ ଜେପି ପାଲ ଉପସ୍ଥିତ ଥିଲେ।

