ରାତି ପାହିଲେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ, ପଥ, ଜଗନ୍ନାଥ, ଭକ୍ତି, ଭକ୍ତ, ଭାବରେ ଭାବମୟ ହେବ ପରିବେଶ । ତେବେ ଆସନ୍ତୁ ଜାଣିବା ଚତୁର୍ଦ୍ଧମୂରତି ଯେଉଁ ରଥାରେ ଆରୋହଣ କରି ରତ୍ନବେଦୀରୁ ଜନ୍ମବେଦୀ, ନୀଳକନ୍ଦରରୁ ଗୁଣ୍ଡିଚାମନ୍ଦିରକୁ ନବଦିନ ପାଇଁ ଯାତ୍ରା କରିବେ ସେହି ରଥ କଥା । ସେ ରଥର ଦେବତା, ସାରଥୀ, ନେତ, ରକ୍ଷକ, ଦ୍ୱାରପାଳକଙ୍କ ବିଷୟରେ । ଏ ରଥ ଦିବ୍ୟ, ଭବ୍ୟ, ଅଲୌକିକ ।
ବଡ଼ ଠାକୁର ତାଳଧ୍ୱଜ ରଥରେ ବିଜେ କରନ୍ତି । ତାଙ୍କର ଆୟୁଧ ହଳ ଓ ମୂଷଳ ଅଟେ । ଏହି ରଥର ଚକ ସଂଖ୍ୟା ୧୪ ଓ ଏହାର ଉଚ୍ଚତା ୩୨ହାତ ୧୦ ଆଙ୍ଗୁଳ । ଏହା ୭୬୩ଟି କାଠ ଦ୍ୱାରା ନିର୍ମିତ ହୋଇଥାଏ । ରଥର ଆବରଣ ରକ୍ତ ନୀଳ । ଏହି ରଥର ରକ୍ଷକ ହେଲେ ବାସୁଦେବ । ଏହାର ଭଦ୍ରପୀଠ ହେଲା– ଅଷ୍ଟଦଳ ପଦ୍ମ । ଅନନ୍ତ ନାଗ ହେଲେ ରଥମୃର୍ଦ୍ଧନୀ ଦେବତା । ରଥର ସାରଥୀଙ୍କ ନାମ ହେଲା ମାତଳୀ । ଏହାର ଦ୍ୱାରପାଳ ହେଲେ ନନ୍ଦ ଓ ସୁନନ୍ଦ । ରଥ ରକ୍ଷକ ଭାସ୍କର । ରଥର ଚାରି ଅଶ୍ୱମାନେ ହେଲେ ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ । ରଥରଜ୍ଜୁ ହେଉଛନ୍ତି ବାସୁକୀ । ରଥର ପାର୍ଶ୍ୱଦେବତାଗଣ ହେଲେ– ପ୍ରାଣମ୍ବାରୀ, ଗଦାନ୍ତକାରୀ, ହରିହର, ତ୍ରୟେମ୍ବକ, ବାସୁଦେବ, ନାଟ୍ୟାମ୍ବର, ଅଘୋର ଓ ତ୍ରିପୁରାରି ଶିବ ଏହାର ଚର ଦେବତା ଦ୍ୱୟ ହେଲେ ବ୍ରହ୍ମା ଓ ଶିବ । ରଥ ମୃଦ୍ଧି ହେଲେ– କେତୁଭଦ୍ରା । ଏଥିରେ ରଥ ଭୈରବ ହେଲେ କ୍ଷେତ୍ରପାଳ ଓ ରଥ ଗନ୍ଧର୍ବ ହେଲେ ହୁ ହୁ । ରଥ ଚାରଣ କରନ୍ତି ମହାସିଦ୍ଧ, ଉଲେମୀ ଓ ଗର୍ଭାଧିଶ୍ୱରୀ । ରଥର ଋଷିପଟାରେ ବିରାଜମାନ କରିଥାନ୍ତି ଅଙ୍ଗିରା, ପୌଲସ୍ତ୍ୟ, ପୁଲ୍ଲହ, ଅଗସ୍ତି, କୃଷ୍ଣ, ମୁଦୁଗଲ, ଆତ୍ରେୟ ଓ କାଶ୍ୟପ । ରଥ କୁମ୍ଭର ନାମ ହେଲା ଭୁବନ, ବିମ୍ବ, ପୃଥିବୀ, ଚକ୍ରାୟୁଧ ଓ ହୁଁ ବୀଜ । ରଥ ନେତର ନାମ ହେଲା ଉନ୍ନନି । ଏହାର ଶକ୍ତିମାନେ ହେଲେ ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା ଓ ସୁନନ୍ଦା ।
ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦ୍ବିତୀୟ ରଥ ଦର୍ପଦଳନ ବା ଦେବୀଦଳନ ରଥରେ ବିଜେ କହନ୍ତି । ଏହି ରଥ ଦେବତାମାନଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା । ପହଣ୍ଡି ସମୟରେ ସୁଦର୍ଶନ ସର୍ବପ୍ରଥମେ ଏହି ରଥରେ ବିଜେ ହୁଅନ୍ତି । ଦେବୀ ସୁଭଦ୍ରାଙ୍କର ଆୟୁଧ ପଦ୍ମକହ୍ଲାର ଅଟେ । ରଥର ଉଚ୍ଚତା ହେଲା ଏକତିରିଶ ହାତ । ଏହା ୫୯୩ଖଣ୍ଡ କାଠରେ ନିମର୍ତି ହୋଇଥାଏ । ରଥରେ ବାରଟି ଚକ, ବର୍ଷର ବାରମାସର ପ୍ରତୀକ ଏବଂ ଆବରଣ ହେଲା କୃଷ୍ଣ ଲୋହିତ । ରଥର ରକ୍ଷକ ହେଲେ ଜୟଦୁର୍ଗା । ରଥର ସାରଥୀଙ୍କ ନାମ ହେଲା ଅର୍ଜ୍ଜୁନ । ଏହାର ଦ୍ୱାର ପାଳିକା ହେଲେ ଦ୍ୱାଦଶା ବରଣ ଭୁବନେଶ୍ୱରୀ, ଚକ୍ର, ଗଙ୍ଗା ଓ ଯମୁନା । ଦର୍ପଦଳନର ଚାରୋଟି ଅଶ୍ୱ ହେଲେ ରୋଚିକା, ମୋଚିକା, ଜିତା ଓ ଅପରାଜିତା । ରଥ ରଜ୍ଜୁ ହେଲେ ସ୍ୱର୍ଣ୍ଣଚୂଡ ନାମକ ନାଗ । ଉଗ୍ରଚଣ୍ଡୀ ଏହି ରଥକୁ ରକ୍ଷା କରନ୍ତି । ରଥରପାର୍ଶ୍ୱର ଦେବୀଗଣ ହେଲେ ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ହରଚଣ୍ଡୀକା, ମଙ୍ଗଳା, ବାରାହୀ, କାତ୍ୟାୟିନୀ, ଜୟଦୁର୍ଗା ଓ କାଳୀ । ରଥ ଧ୍ୱ ଜାରେ ତ୍ରିପୁାର ସୁନ୍ଦରୀ ବିରାଜମାନ । ଏହି ରଥରେ ଚାମର ସେବା କରନ୍ତି ସୁମେଧା ଦେବୀ । ରଥର ଦେବୀ ହେଲେ ଶ୍ରୀଭୂ । ଦର୍ପଦଳନ ରଥର ମୁଖ ହେଲା ବ୍ରହ୍ମକର୍ତ୍ତା । ଏହି ରଥର ଗନ୍ଧର୍ବଙ୍କ ନାମ ହେଲା ହା ହା ଓ ଯକ୍ଷଙ୍କ ନାମ ହେଲା ଙ୍କିଜ୍ଜଳିକା । ରଥ ଚାରଣଙ୍କ ନାମ ହେଉଛି ମହାକର । ଋଷି ପଟାରେ ବିରାଜମାନ କରୁଥିବା ଛଅଜଣ ଋଷି ହେଲେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ ଓ ଭଲ୍ଲୁକୁ । ରଥ କୁମ୍ଭର ନାମ ହେଲା ଅମୃତା, ଜୀବା, କାୟ, ହ୍ରିଂବୀଜ । ରଥ ନେତର ନାମ ହେଲା ନାଦାମ୍ବିକା । ରଥ ଗର୍ଭର ଅଧିଶ୍ୱରୀମାନେ ହେଲେ ଶକ୍ତିଶପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା ।
ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ତୃତୀୟ ରଥ ନନ୍ଦିଘୋଷରେ ବିଜେ କରନ୍ତି । ଏହି ନନ୍ଦିଘୋଷ ରଥ ଇନ୍ଦ୍ରଙ୍କ ଦ୍ୱାରା ପ୍ରଦତ୍ତ ଅଟେ । ଜଗନ୍ନାଥଙ୍କର ଆୟୁଧ ହେଲା ଚକ୍ର ଓ ଶଙ୍ଖ । ନନ୍ଦିଘୋଷ ରଥର ଉଚ୍ଚତା ହେଲା ତେତିଶ ହାତ ପାଞ୍ଚ ଆଙ୍ଗୁଳି । ଏହା ଆଠଶହ ବତିଶ ଖଣ୍ଡ କାଠରେ ତିଆରି । ରଥରେ ରହିଛି ଷୋହଳଟି ଚକmଯାହା ଷୋହଳ କଳାର ପ୍ରତୀକ । ରଥର ଆବରଣ ହେଲା ରକ୍ତପୀତ । ରଥର ରକ୍ଷକ ହେଲେ ଗରୁଡ । ରଥମୃଦ୍ଧନୀ ଦେବତା ହେଲେ କଲ୍ୟାଣ ସୁନ୍ଦର । ରଥର ସାରଥି ହେଲେ ଦାରୁକ । ଦ୍ୱାରପାଳ ଦ୍ୱୟଙ୍କ ନାମ ହେଲା ଜୟ ଓ ବିଜୟ । ରଥର ଚାରି ଅଶ୍ୱ ହେଲେ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାଶ୍ୱ । ରଥ ରଜ୍ଜୁ ହେଲା ଶଙ୍ଖ ଚୂଡ଼ ନାମକ ନାଗୁଣୀ । ରଥ ଦେବୀ ହେଲେ ଯୋଗମାୟା । ରଥରେ ନଅଜଣ ପାଶ୍ୱର୍ ଦେବତାଗଣ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଏବଂ ନୃସିଂହ । ରଥର ଶକ୍ତି ହେଲେ ବିମଳା ଓ ବିରଜା । ରଥ ଗର୍ଭାଧିଶ୍ୱର ହେଲେ ଏକପାଦ ନନ୍ଦ ଓ କୁମେର ଚାରଣ । ରଥ ଯକ୍ଷ ହେଲେ ହର୍ଯ୍ୟକ୍ଷ, ରଥର ଉତ୍କର୍ଷଣୀ ହେଲେ ତ୍ରିୟକ୍ଷା, ଯୋଗା, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ଓ ମେଧା । ରଥ ଋଷିପଟାରେ ନାରଦ, ଦେବନ୍ଦ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର ଆଦି ଆଠଜଣ ଋଷି ବିରାଜମାନ କରନ୍ତି । ରଥ ଧ୍ୱଜାଧିପତି ହେଲେ ବୀର ହନୁମାନ । ରଥ କୁମ୍ଭର ନାମ ହେଲା ହିରଣ୍ୟନ୍ମୟ । ନନ୍ଦିଘୋଷ ରଥର ନେତ ତ୍ରୈଲୋକ୍ୟ ମୋହିନୀ ଅଟେ । ରଥର ଅଧିଶ୍ୱର ହେଲେ ସ୍ୱୟଂ ଶ୍ରୀଜଗନ୍ନାଥ । ପହଣ୍ଡି ପରେ ତିନି ରଥରେ ତିନି ଠାକୁର ବିରାଜମାନ ହୁଅନ୍ତି । ରଥ ଉପରେ ବିରାଜମାନ ହୋଇଥିବା ତିନି ଠାକୁରଙ୍କୁ ଦର୍ଶନ କଲେ ପୁନର୍ଜନ ହୁଏନାହିଁ ବୋଲି ବିଶ୍ୱାସ ରହିଛି ।

