ପରିବେଶ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଆମକୁ ଚିନ୍ତା କରିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଏବେଠାରୁ ଦୃଢ଼ ପଦକ୍ଷେପ ନନେଲେ ଜୀବଜଗତର ସତ୍ତା ହଜିଯିବ।ତେବେ ପରିବେଶ ସୁରକ୍ଷା ପାଇଁ ୭୦ ଦଶକରେ ମୁଣ୍ଡ ଟେକିଥିଲା ଏକ ଜନ ଆନ୍ଦୋଳନ ,ଏହି ଆନ୍ଦୋଳନର ମଙ୍ଗ ଧରିଥିଲେ ଜଣେ ପରିବେଶ ଯୋଦ୍ଧା । ଯିଏ କି ଥିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।
ଏହି ଆନ୍ଦୋଳନ କୁ ବିଭିନ୍ନ ମହଲରେ ଜଳ ଓ ବାୟୁ ପ୍ରଦୂଷଣ ବିରୋଧରେ ଦେଶର ପ୍ରଥମ ଗଣଆନ୍ଦୋଳନ ରୂପେ ଚିତ୍ରିତ କରାଯାଇଥାଏ । କାରଣ ପୂର୍ବରୁ କୌଣସି ପରିବେଶ ଆନ୍ଦୋଳନରେ ୪୦୦ ନାଗରିକ କାରାବରଣ କରି ନଥିଲେ କିମ୍ବା ସଂସଦୀୟ କମିଟି ଅନୁସନ୍ଧାନ ପାଇଁ କ୍ଷେତ୍ର ପରିଦର୍ଶନ କରି ପରିବେଶ ସୁରକ୍ଷା ଉପରେ ସୁପାରିସ କରି ନଥିଲେ ।
୧୯୬୭ରେ ଗଞ୍ଜାମରେ ପ୍ରତିଷ୍ଠିତ ଜୟଶ୍ରୀ କେମିକାଲ୍ କାରଖାନାରୁ ଉତ୍ପାଦନ ହେବା ପରେ କାରଖାନାରୁ ନିର୍ଗତ କ୍ଲୋରିନ୍ ଗ୍ୟାସ୍ ଓ ଦୂଷିତ ଜଳ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଧାନଗଛ ପୋଡ଼ିଗଲା । ଋଷିକୁଲ୍ୟା ନଦୀ ମୁହାଣରେ ଖଇଙ୍ଗା ମାଛ ଉତ୍ପାଦନ ବନ୍ଦ ହୋଇ କୋଲକାତାକୁ ମାଛ ରପ୍ତାନି ଠପ୍ ହୋଇ ଯାଇଥିଲା । ଯାହାକି ଆନ୍ଦୋଳନର ରୂପ ନେଇଥିଲା।ସେତେବେଳେ ଛତ୍ରପୁର କେବଳ କଂଗ୍ରେସ ଓ ବାମପନ୍ତୀଙ୍କ ଦୁର୍ଗ ଥିଲା | କାରଖାନାର ଶ୍ରମିକ ସଂଘ ବାମପନ୍ଥୀଙ୍କ ନିୟନ୍ତ୍ରଣରେ ଥିବାରୁ ଏହି ଜନ ସମସ୍ୟାକୁ ସେମାନେ ଏକ ପ୍ରକାର ଅଣଦେଖା କରିଥିଲେ | ବାୟୁ ଦୂଷିତ ହେବାରୁ ଶ୍ଵାସରୁଦ୍ଧ ହେବା ଭଳି ଅନୁଭବ କରୁଥିବା ସ୍ଥାନୀୟ ବାସିନ୍ଦାମାନେ ୧୯୭୧ ମସିହା ଅଗଷ୍ଟରୁ ସହର ଦେଇ ରେଳଷ୍ଟେସନ୍କୁ କ୍ଲୋରିନ୍ ଗ୍ୟାସ୍ ଟ୍ୟାଙ୍କର ଚଳାଚଳକୁ ବନ୍ଦ କରିଥିଲେ । ଫଳରେ ୧୯୭୧ ଅକ୍ଟୋବର ମାସରେ ପ୍ରାୟ ୪୦୦ ଯୁବକ, ଛାତ୍ର ଓ ଚାଷୀ ଗିରଫ ହୋଇଥିଲେ । ୧୯୭୧ ଅକ୍ଟୋବର ୧୪ତାରିଖରେ ଆର୍ଡିସିଙ୍କ ନେତୃତ୍ବରେ ମାମଲା ସମାଧାନ ହୋଇ ରାଜିନାମା ପରେ ଜେଲ୍ରୁ ସମସ୍ତେ ମୁକ୍ତ ହୋଇଥିଲେ।
ରାଜିନାମା ଅନୁଯାୟୀ କମ୍ପାନି ଚାଷୀଙ୍କୁ କ୍ଷତିପୂରଣ ଦେବାରେ ଅବହେଳା କରିବାରୁ ୧୯୭୭ ଜୁଲାଇରେ ସହରବାସୀ ରାଜ୍ୟସଭା ପିଟିସନ୍ କମିଟିର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପିଟିସନ୍ କମିଟି ୧୯୭୭ । ସେପ୍ଟେମ୍ବର ମାସରେ ଗଞ୍ଜାମ ସହର ପରିଦର୍ଶନ କରି ନାଗରିକ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏଭଳି କାରଖାନା ଯୋଗୁଁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୧୯୭୭ ଡିସେମ୍ବର ୧ ତାରିଖରେ ୨୦ ସୂତ୍ରୀ ନିୟମାବଳୀ ସାରା ଭାରତ ପାଇଁ ସୁପାରିସ କରିଥିଲେ। ପରିଣାମ ସ୍ବରୂପ ୧୯୮୧ରେ କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ଆଇନ ପ୍ରଣୟନ କରିଥିଲେ ।
ପୋଟଲାମପୁର ଠାରେ ତିନୋଟି ଗଭୀର କୂପ ଖୋଳି ବ୍ରହ୍ମପୁରକୁ ୬୦ ନିୟୁତ ଗ୍ୟାଲେନ୍ ଜଳ ଯୋଗାଣ ଯୋଗୁଁ ଋଷିକୁଲ୍ୟା ନଦୀଶଯ୍ୟା ଶୁଖିଗଲା। ପ୍ରତିବାଦରେ ନଦୀର ସୁରକ୍ଷା ପାଇଁ ୧୯୮୬ ଅଗଷ୍ଟରେ ପୋଟଲାମପୁର ଠାରେ ଚାଷୀ ସମାବେଶରେ ଋଷିକୁଲ୍ୟା ବଞ୍ଚାଅ ମଞ୍ଚ ଗଠନ କରାଯାଇ ମାନ୍ୟବର ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ୨୦୦୭ରେ ନଭେମ୍ବରରେ ଛତ୍ରପୁରରେ ଚାଷୀ ସମାବେଶ ପରେ ୨୦୧୦ରେ ବଂଶଧାରା ଠାରୁ ମହାନଦୀର ଶାଖା ନଦୀ ଦୟା ପର୍ଯ୍ୟନ୍ତ ଜଳସଂଯୋଗ ଯାତ୍ରା କରି ଜନଜାଗରଣ ସୃଷ୍ଟି କରାଯାଇଥିଲା। ଏହି ଆନ୍ଦୋଳନ ଫଳରେ ଜଳ ବିକାଶ ସଂସ୍ଥା ଦ୍ବାରା ମହାନଦୀ-ଋଷିକୁଲ୍ୟା ସଂଯୋଗ ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯାହାକି କାର୍ଯ୍ୟକାରୀ ଅପେକ୍ଷାରେ ରହିଛି।
ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି। ସେ ୨୦୧୭ ଜାନୁୟାରୀ ୧୨ରେ ବିଜେପିରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଥିଲେ।୨୦୦୦ରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୨ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ବିଜେଡ଼ି ଛାଡ଼ି ପୁଣି ବିଜେପି ହାତ ଧରିଥିଲେ ।

