ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ପୁଣି ଭରସା କରିଛି ବିଜେଡି। ତାଳଚେର ଆସନ ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଲଗାତାର ତୃତୀୟଥର ପାଇଁ ବିଜେଡି ଟିକେଟରେ ଲଢ଼ିବାକୁ ଯାଉଛନ୍ତି ବ୍ରଜ। ବିଜେପିର କାଳନ୍ଦୀ ସାମଲଙ୍କ ସହ ତାଙ୍କର ଲଢ଼େଇ ହେବ। ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଅନୁଗୁଳରୁ ପ୍ରାର୍ଥୀ କରି ତାଳଚେରରେ ବିଜେଡି ଜଣେ ନୂଆମୁହଁ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ହେଲେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବ୍ରଜଙ୍କୁ ପୁଣି ତାଳଚେରରୁ ଟିକେଟ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।
ରାଜ୍ୟର ଚର୍ଚ୍ଚିତ, ଜନପ୍ରିୟ ତଥା ଜନମାନସରେ ଅତିପରିଚିତ ବ୍ୟକ୍ତିତ୍ବଙ୍କ କଥା ଉଠିଲେ ଆଗରେ ଆସନ୍ତି ବ୍ରଜକିଶୋର ପ୍ରଧାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଟାଣୁଆ ନେତା ତଥା ବର୍ତ୍ତମାନର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଯେତେବେଳେ ଦେଶ ଜରୁରୀକାଳୀନ ସ୍ଥିତିରେ ସଂଘର୍ଷ କରୁଥିଲା, ସେଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଜନ୍ମଗ୍ରହଣ କରନ୍ତି ବ୍ରଜ କିଶୋର । ୧୯୭୫ ମସିହା ଜୁଲାଇ ୭ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ତୁଳସୀ ଦୁଇପତ୍ରରୁ ବାସିବା ଭଳି ଯୁବାବସ୍ଥାରୁ ହିଁ ତାଙ୍କ ନେତୃତ୍ବ ନେବାର ଦକ୍ଷତା ପ୍ରତିଫଳିତ ହୋଇଥିଲା । କଲେଜ ସମୟରୁ ରାଜନୀତିରେ ବେଶ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ବ୍ରକ କିଶୋର । ଲୋକଙ୍କ ଭଲପାଇବା ଓ ନିଜର ପରିଶ୍ରମ ବଳରେ ଖୁବ କମବୟସରେ ସେ ଜନତାଙ୍କ ଦ୍ବାରା ଆଦୃତ ଓ ଗ୍ରହଣୀୟ ହୋଇପାରିଥିଲେ । ଗତ ୧୫ ବର୍ଷ ଧରି ତାଳଚେରବାସୀଙ୍କ ଅକୁଣ୍ଠ ଭଲପାଇବା ଓ ସମର୍ଥନ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରଜକିଶୋର ପ୍ରଧାନ ।
୨୦୦୯ ମସିହାରେ ବ୍ରଜକିଶୋରଙ୍କ ପ୍ରତ୍ୟେକ୍ଷ ରାଜନୈତିକ ଯାତ୍ରାର ଅୟମାରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗି ସାରିଥାଏ । ରାଜ୍ୟରେ ଶକ୍ତିଶାଳୀ ଥାଏ ବିଜୁ ଜନତା ଦଳ । ଏଭଳି ସ୍ଥିତିରେ ତାଳଚେର ଭଳି ଖଣି ପ୍ରଦାନ ଅଞ୍ଚଳରେ ନିର୍ବାଚନ ପାଇଁ ମଇଦାନକୁ ଏକାକି ଓହ୍ଲାଇଥିଲେ ବ୍ରଜ କିଶୋର । ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେତେବେଳେ ତାଳଚେର ପଲିଟିକାଲ ଗ୍ରାଉଣ୍ଡରେ ବିଜେଡି ଦଳର ପ୍ରାର୍ଥୀ ଥିଲେ ପୂର୍ବତନ ବିଧାୟକ ତଥା ଏବେର ଢେଙ୍କାନାଳ ସାଂସଦ ମହେଶ ସାହୁ । ହେଲେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଦେଇଥିଲେ ବ୍ରଜକିଶୋର । ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ମାତ ଦେଇ ତାଳଚେର ରାଜନୀତିରେ ଲେଖିଥିଲେ ନୂଆ ଇତିହାସ । ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀଙ୍କୁ ୮ ହଜାର ୬୪୨ ଖଣ୍ଡ ଭୋଟରେ ପରାଜିତ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ବ୍ରଜଙ୍କୁ ୩୭ ହଜାର ୪୮ ଖଣ୍ଡ ଭୋଟ ମିଳିଥିବାବେଳେ ମହେଶଙ୍କୁ ମିଳିଥିଲା ୨୮ ହଜାର ୪୦୬ ଖଣ୍ଡ ଭୋଟ । ସେବେଠୁ ବ୍ରଜକିଶୋରଙ୍କ ରାଜନୈତିକ ଯାତ୍ରାରେ ବ୍ରେକ ଲାଗିନି । ଲୋକଙ୍କ ସହିତ ରହି ସୁଖଦୁଃ ବୁଝିବାର ଫଳ ଜନତା ପ୍ରତି ନିର୍ବାଚନରେ ଦେଇଚାଲିଛନ୍ତି ।
ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିବା ବ୍ରଜକିଶୋରଙ୍କୁ ୨୦୧୪ରେ ବିଜୁ ଜନତା ଦଳ କୋଳେଇ ନେଇଥିଲା । ବିଜେଡି ଟିକେଟରେ ୨୦୧୪ ମସିହାରେ ନିର୍ବାଚନ ଲଢି ୧୪ ହଜାର ୩୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବ୍ରଜକିଶୋର । ବ୍ରଜକିଶୋରଙ୍କ ଲୋକପ୍ରିୟତା କିଭଳି ବୃଦ୍ଧି ପାଉଥିଲା ତାହା ଭୋଟ ପ୍ରତିଶତ ହିଁ ସୂଚୀତ କରୁଥିଲା । ୨୦୦୯ରେ ସେ ୩୬.୨୧ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୪ରେ ୪୬ .୯୫ ପ୍ରତିଶତ ଭୋଟ ହାସଲ କରିଥିଲେ । ଏହାପରେ ବ୍ରଜକିଶୋର ଅତୁଟ ଲୋକପ୍ରିୟତା ଯୋଗୁ ୨୦୧୯ରେ ବି ବିଜେଡି ତାଙ୍କୁ ଟିକେଟ ଦେଇଥିଲା । ଏଥର ମଧ୍ୟ ରେକର୍ଡ ବ୍ୟବଧାନ ୨୪ହଜାର ୧୦୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବ୍ରଜକିଶୋର ।
ଲଗାତାର ୩ ଥର ତାଳଚେର ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବ୍ରଜକିଶୋର । ଏହା ଭିତରେ ବିଜୁ ଜନତା ଦଳର ଜଣେ ଟାଣୁଆ ତଥା ଲୋକପ୍ରିୟ ନେତା ଭାବରେ ସେ ପରିଚିତ ହୋଇସାରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁ୍ଡ୍ ବୁକରେ ମଧ୍ୟ ଅଛନ୍ତି ବ୍ରଜକିଶୋର । ଖାଲି ଜନପ୍ରିୟ ନେତା ନୁହଁନ୍ତି, ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା । ତାଙ୍କ ରାଜନୈତିକ ଗୋଟି ଚାଳନା ଆଗରେ ବିରୋଧି ଲଗାତାର ବିଫଳ ହେଉଛନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହୋଇ ସମସ୍ତଙ୍କର ମନଜିଣିଥିବା ବ୍ରଜକିଶୋରଙ୍କୁ ସାମ୍ନା କରିବାକୁ ସଫଳ ହୋଇପାରୁନାହାନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏଥିପାଇଁ ବିଜେଡି ସୁପ୍ରିମୋ ବ୍ରଜଙ୍କୁ ପୁଣି ପ୍ରାର୍ଥୀ କରିଛନ୍ତି। ଜନସେବାର ମନ୍ତ୍ର ନେଇ ଆଗକୁ ବଢୁଥିବା ବ୍ରଜ କିଶୋରଙ୍କୁ ଆଗାମୀ ଦିନରେ ବି ଜନତା ଆଶୀର୍ବାଦ ଅଜାଡ଼ି ଦେବେ ବୋଲି ତାଳଚେରରେ ଚର୍ଚ୍ଚାର ପରିସର ପାଲଟିଛି ।

