ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କଲେ ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ, ରାଜ୍ୟପାଳ ଡ.ହରିବାବୁ କୁମ୍ଭମପାଟି । ସେଠାରୁ ସଡ଼କପଥରେ ଅମଲିପାଲି ସଭାସ୍ଥଳକୁ ଯାଇଛନ୍ତି । ସାଢ଼େ ୧୧ରୁ ସାଢ଼େ ୧୨ ଯାଏଁ ସମାବେଶସ୍ଥଳରେ ରହିବେ । ପ୍ରାୟ ଘଣ୍ଟାଏ କାଳ ମୋଦି ମଞ୍ଚରେ ରହିବା ପରେ ଝାରସୁଗୁଡ଼ା ବିମାନବନ୍ଦରକୁ ଫେରି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ୬୦ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିବେ । ଦୂରସଂଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ସହ ଗ୍ରାମ୍ୟ ଗୃହ ନିର୍ମାଣର ଏହି ପ୍ରକଳ୍ପଗୁଡ଼ିକ ଦେଶବାସୀଙ୍କୁ ହେବ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି । ସମାବେଶରେ ମୋଦି ସାଧାରଣ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

