ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ ସେନେଇ କୁହାଯାଇ ନାହିଁ।

କିନ୍ତୁ ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ‌ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖ ଆଡ଼କୁ ଏହା ଆହୁରି ଶକ୍ତି ଗୋଟାଇବ ଏବଂ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ସୋମବାର (୨୭ ତାରିଖ) ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇସାରିଥିବ ଏବଂ ଦକ୍ଷିଣ-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ।

ତେବେ ଏହା କେତେ ଭୟଙ୍କର ହେବ, ‌ଗତିପଥ କେଉଁଆଡ଼େ ରହିବ ଓ କେଉଁଠାରେ ଏହା ସ୍ଥଳଭାଗକୁ ଛୁଇଁବ, ସେ ସଂକ୍ରାନ୍ତରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଅକ୍ଟୋବର ୨୭ରୁ ବର୍ଷା ଆରମ୍ଭ ହେବ। ଏହା ଅକ୍ଟୋବର ୩୦ ଯାଏଁ ଜାରି ରହିବ। ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ ରହିବ।

ଏଥି ସହିତ ଝଟକା ପବନର ବେଗ ଘଣ୍ଟା ପିଛା ୮୦ ପର୍ଯ୍ୟନ୍ତ ହୋଇପାରେ। ରାଜ୍ୟରେ ଥିବା ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Post Views21 Total Count

Apply Now


This will close in 0 seconds

error: Content is protected !!