ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ନେଇ ଭାରତୀୟମାନେ ଗର୍ବ କରିଛନ୍ତି ବୋଲି ଏମା‌ନେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏଥି ସହ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍‌ ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଛି। ମହିଳା କ୍ରିକେଟ୍‌ରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଛି।

୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି।

ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ବ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ବକପ୍‌ ବିଜୟ।

Post Views6 Total Count

Apply Now


This will close in 0 seconds

error: Content is protected !!