ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି କାର ବୋମା ବିସ୍ଫୋରଣର ଲିଙ୍କ୍ ଜମ୍ମୁ ଓ କଶ୍ମୀରର ପୁଲୱାମା ସହିତ ଜଡ଼ିତ ଥିବା କୁହାଯାଉଛି । ବିସ୍ଫୋରଣ ଘଟଣାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ।
ଅଟକ ଥିବା ତାରିକ ଅହମ୍ମଦ ମାଲିକ, ଆମିର ରସିଦ ଏବଂ ଉମର ରସିଦଙ୍କୁ ପୁଲିସ ଜେରା କରିବା ଜାରି ରଖିଛି ।ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପାଇଁ ଯେଉଁ କାରଟି ବ୍ୟବହୃତ ହୋଇଥିଲା ତାହା ଫରିଦାବାଦର ଥିବା ଜଣାପଡ଼ିଛି । ବ୍ୟବହୃତ ଆଇ ୨୦ କାରଟି ମାତ୍ର ଚାରି ଦିନ ପୂର୍ବରୁ ଫରିଦାବାଦର ଜଣେ ଡିଲରଙ୍କଠାରୁ କିଣାଯାଇଥିଲା । ବିସ୍ଫୋରଣ ପରେ ଫରିଦାବାଦର ଡିଲରଙ୍କୁ ଦିଲ୍ଲୀ ପୁଲିସ ହେପାଜତକୁ ନେଇଛି । ଉକ୍ତ ଡିଲରଙ୍କ ନାମ ସୋନୁ ଥିବା ଜଣାପଡ଼ିଛି ।
ରୟାଲ କାର୍ ଜୋନର କାର୍ ଡିଲର ସୋନୁଙ୍କ କାର୍ଯ୍ୟାଳୟ ଫରିଦାବାଦର ସେକ୍ଟର ୩୭ରେ ଅଛି । ସେ ଓଏଲଏକ୍ସରେ କାର୍ ବିକ୍ରୟ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ। ଏହାପରେ ତାଙ୍କ କାର ବିକ୍ରି ହୋଇଯାଇଥିଲା ।
ଫରିଦାବାଦର ପୁଲିସ ଅଧିକାରୀ ଯଶପାଲ ସିଂହ କହିଛନ୍ତି, ‘ସୋନୁଙ୍କୁ ଗିରଫ କରାଯାଇ ଦିଲ୍ଲୀ ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି। ଲାଲକିଲ୍ଲା ସାମ୍ନାରେ ଭୟାବହ ବିସ୍ଫୋରଣ ହୋଇଥିବା ଆଇ୨୦ କାରଟି ଗୁରୁଗ୍ରାମର ନର୍ଥ ଆରଟିଓରେ ପଞ୍ଜିକୃତ ହୋଇଛି। ରିପୋର୍ଟରୁ ଜଣାପଡ଼ିଛି ଏହି କାରଟି ଗୋଟିଏ ବର୍ଷ ମଧ୍ୟରେ ଥରେ କି ଦୁଇଥର ନୁହେଁ ସାତ ଥର ବିକ୍ରି ହୋଇଛି।

