ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି ।
ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁଆରୀ ୩, ୨୦୨୬ ରିଖ ପର୍ଯ୍ୟନ୍ତ ବରଗଡ଼ରେ ଧନୁଯାତ୍ରା ମହୋତ୍ସବର ଆୟୋଜନ କରାଯିବ। ଧନୁଯାତ୍ରା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବା ସହିତ ଧନୁଯାତ୍ରାରେ ଭାଗ ନେଉଥିବା ପ୍ରାୟତଃ ୨୦୦ ଜଣ କଳାକାରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ । ଏଥିସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଏଲଇଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ । ସେହିପରି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏଲଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ ।
ବରଗଡ଼ ସହରର ମୁଖ୍ୟ ପ୍ରବେଶ ଦ୍ୱାରମାନଙ୍କରେ ଧନୁଯାତ୍ରା ଥିମ୍ ସମ୍ବନ୍ଧୀୟ ଗେଟ୍ ନିର୍ମାଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଛି। ଧନୁଯାତ୍ରା ସମୟରେ ପୁରୀ ଏବଂ ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ଚଳାଇବା ନିମନ୍ତେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଧନୁଯାତ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ କରାଯିବ ଯେଉଁଥିରେ ଧନୁଯାତ୍ରାର ଚିତ୍ରାୟନ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବ ଯାହା ଦ୍ୱାରା କି ସମସ୍ତ ଜନସାଧାରଣମାନେ ଅତି ସହଜରେ ସମସ୍ତ ତଥ୍ୟ ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ।
ଧନୁଯାତ୍ରାର ସଫଳ ଆୟୋଜନ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ସୁରକ୍ଷା, ଅଗ୍ନିଶମ, ସ୍ଵଚ୍ଛତା, ଆଶୁ ଚିକିତ୍ସା ଏବଂ ସମସ୍ତ ପ୍ରଶାସନିକ ବନ୍ଦୋବସ୍ତକୁ ସୁନିଶ୍ଚିତ କରିବା ନିମନ୍ତେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ ଗୌରବମୟ ସଂସ୍କୃତି ଓ ଐତିହ୍ୟର ଜୟଯାତ୍ରା ହେଉଛି ଧନୁଯାତ୍ରା। ଏହି ସମୟରେ ବରଗଡ଼ ସହରକୁ ମଥୁରା ନଗରୀ, ଅମ୍ବାପାଲି ଅଞ୍ଚଳକୁ ଗୋପପୁର, ଜୀରା ନଦୀକୁ ଯମୁନା ନଦୀର ନାମରେ ନାମିତ କରାଯାଏ। ଧନୁଯାତ୍ରା ମହୋତ୍ସବକୁ ଚଳିତ ଥର ଦିବ୍ୟ, ଭବ୍ୟ ଓ ଆଡ଼ମ୍ବରର ସହ ପାଳନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ମତପ୍ରକାଶ କରିଥିଲେ।
ବୈଠକରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗରତିଆ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଈରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ,ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

