ବହୁ ସଂଖ୍ୟକ ପାକିସ୍ତାନୀ ଦେଶ ଛାଡି ଅନ୍ୟତ୍ର ଯାଉଛନ୍ତି। ବିଶେଷକରି ପାକିସ୍ତାନରେ ଏବେ କୁଶଳୀ ପେସାଦାର ମାନେ ଦେଶ ଛାଡି ପଳାୟନ କରୁଛନ୍ତି। ହଜାର ହଜାର ସଂଖ୍ୟାରେ ଡାକ୍ତର, ଇଞ୍ଜିନିୟର ଓ ଆକାଉଣ୍ଟାଣ୍ଟଙ୍କ ଭଳି ପେସାଦାର ଦେଶ ଛାଡି ପଳାଉଛନ୍ତି। ଯାହା ବର୍ତ୍ତମାନ ‘ବ୍ରେନ୍ ଡ୍ରେନ୍’ (ପ୍ରତିଭା ପଳାୟନ) ସଙ୍କଟ ଉତ୍କଟ ରୂପ ଧାରଣ କରୁଥିବା ଜଣାପଡିଛି। ଗୁରୁତର ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି, ରାଜନୈତିକ ଅସ୍ଥିରତା ଏବଂ ସୀମିତ ସୁଯୋଗ ସାଧାରଣ ନାଗରିକଙ୍କ ରୋଜଗାର ଉପରେ ପଡୁଛି। ଉଚ୍ଚଶିକ୍ଷିତ ଯୁବପିଢି ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞବେକାରୀ ହୋଇଯିବା ଆଶଙ୍କା କରୁଛନ୍ତି। ତେଣୁ ଭବିଷ୍ୟତର ସୁରକ୍ଷା ନିମନ୍ତେ ସେମାନେ ଦେଶ ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି।
ପାକ୍ର ସରକାରୀ ଅପ୍ରବାସନ ତଥ୍ୟ ଅନୁଯାୟୀ, ଦୁଇ ବର୍ଷ (୨୦୨୪-୨୦୨୫) ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଭଲ ସମ୍ଭାବନା ପାଇଁ ବିଦେଶ ପଳାୟନ କରୁଛନ୍ତି। ବିଶେଷକରି ଡାକ୍ତର, ଇଞ୍ଜିନିୟର ଏବଂ ଆଇଟି ବିଶେଷଜ୍ଞଙ୍କ ଭଳି ଦକ୍ଷ ବୃତ୍ତିଗତମାନେ ଉପସାଗରୀୟ ଦେଶ ଏବଂ ୱେଷ୍ଟର୍ଣ୍ଣ ଦେଶକୁ ପଳାଉଛନ୍ତି। ଯାହା ଏକ ଯଥେଷ୍ଟ ” ବ୍ରେନ୍ ଡ୍ରେନ୍” ସୃଷ୍ଟି କରିଛି। ଏହି ଗଣ ପଳାୟନରେ ଶ୍ରମିକ ଏବଂ ମହିଳାମାନେ ସାମିଲ ଅଛନ୍ତି, ଯାହା ଏକ ବ୍ୟାପକ ସଙ୍କଟକୁ ଇଙ୍ଗିତ କରୁଛି।
ଏ ସମୟରେ ପାକିସ୍ତାନର ପୂବେତନ ସିନେଟର୍ ମୁସ୍ତଫା ନୱାଜ ଖୋକାର ଦେଶର ସ୍ଥଳସେନା ମୁଖ୍ୟ ଅସିମ୍ ମୁନୀର୍ଙ୍କୁ କଡା ସମାଲୋଚନା କରିଥିବା ବେଳେ ମୁନୀର୍ ଏହାକୁ ‘ବ୍ରେନ୍ ଗେନ୍’ ବୋଲି କହିଛନ୍ତି। ମୁନୀର୍ ସଫେଇ ଦେଇଛନ୍ତି ଯେ, ସହସ୍ରାଧିକ ଡାକ୍ତର, ଇଞ୍ଜିନିୟର ବିଦେଶ ଚାଲିଥିବା ଅର୍ଥ ବ୍ରେନ୍ ଡ୍ରେନ୍ ନୁହେଁ, ବରଂ ବ୍ରେନ୍ ଗେନ୍। ବିଦେଶରୁ ଉପଯୁକ୍ତ ତାଲିମ୍ ପାଇବା ପରେ ଏହି ଡାକ୍ତର, ଇଞ୍ଜିନିୟର୍ମାନେ ପୁଣି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଦେଶବାସୀଙ୍କ ସେବାରେ ନିୟୋଜିତ ହେବେ ବୋଲି ସଫେଇ ଦେଇଛନ୍ତି।

