କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଓଡ଼ିଶାର ପ୍ରଜ୍ଞାପନ ମେଢକୁ ୨୬ ଜାନୁଆରୀ , ୨୦୨୬ରେ ସାଧାରଣତନ୍ତ୍ର ଦିବସ ପରେଡ ବେଳେ କର୍ତ୍ତବ୍ୟ ପଥରେ ଗଢିବାକୁ ଚୟନ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଯେଉଁଥିରେ ଓଡି଼ଶା ସେହି ୧୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ସାମିଲ ହୋଇଛି ,ଯେଉଁମାନଙ୍କୁ ପରେଡରେ ଅଂଶ ଗ୍ରହଣ କରିବା ପାଇଁ ଚୟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ୧୯ ଜାନୁଆରୀ ସୁଦ୍ଧା ସମସ୍ତ ପ୍ରସ୍ତୁତିକୁ ପୂରା କରାଯାଉ ,ଯେମିତି କି ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ପାରିବ।

ପ୍ରଜ୍ଞାପନ ମେଢରେ, ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ । ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ଵୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ଓଡିଶାର ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶିତ ହେବ । କୃଷି, ଶିଳ୍ପ, ଅର୍ଥନୀତି, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକତ୍ରୀତ କରି, ପ୍ରସ୍ତୁତ ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ, ପ୍ରଜ୍ଞାପନ ମେଢର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯିବ ।

ଶ୍ରୀ ଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିବା ବେଳେ, ମଧ୍ୟଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର କୃଷି ଉତ୍କୃଷ୍ଟତାର ପ୍ରତିନିଧି ସ୍ଵରୂପ କୋରାପୁଟ କଫି ଏବଂ ଏହାର ଅପରପାର୍ଶ୍ଵରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଟିଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ ମାଧ୍ୟମରେ ପ୍ରତିଫଳିତ ହେବ । ପଶ୍ଚାତ୍ ଭାଗରେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଏବଂ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରଦର୍ଶନ ସ୍ଵରୂପ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନିତ ହେବ । ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୂପା ତାରକସୀ କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ ।

ପ୍ରାଚୀନ ଷୋଡ଼ଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ଥିବା ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ଚଇତି ଘୋଡା ଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଉପସ୍ଥାପନ କରିବେ ।

ଗତ ନଭେମ୍ବର ୧୧ ତାରିଖରୁ ଚଳିତ ଡିସେମ୍ବର ୨୨ ତାରିଖ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ଵାରା ମନୋନୀତ ବିଶେଷଜ୍ଞ କମିଟିର ପର୍ଯ୍ୟାଲୋଚନା ପରେ , ଆଗାମୀ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଦର୍ଶନ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ପ୍ରାପ୍ତ ହୋଇଛି ।ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ଓଡ଼ିଶାର ହସ୍ତତନ୍ତ ଓ ବୟନ କଳା ଉପରେ ଆଧାରିତ ୨୦୨୫ର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ନିକଟରେ ଅନୁଷ୍ଠିତ ଭାରତ ପର୍ବର ‘ଦେଖୋ ଅପନା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।

Post Views45 Total Count

Apply Now


This will close in 0 seconds

error: Content is protected !!