ଓଡ଼ିଶାର ପ୍ରାୟ ୪୨% ବୟସ୍କ ବ୍ୟକ୍ତି ଧୂଆଁବିହୀନ ତମାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରଠାରୁ ପ୍ରାୟ ଦୁଇଗୁଣ । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ ଏବଂ ୨୦୧୧ର ନିୟମାବଳୀ ଅନୁଯାୟୀ ଯେକୌଣସି ଖାଦ୍ୟ ପଦାର୍ଥରେ ତମାଖୁ ଏବଂ ନିକୋଟିନ୍ର ବ୍ୟବହାରକୁ ନିଷେଧ କରାଯାଇଛି । ଏଣୁ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଓଡ଼ିଶା ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି –
୧. ଓଡ଼ିଶା ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଗଲା ।
୨. ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ ।
୩. ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେକୌଣସି ନାମରେ ବିକ୍ରି ହେଉଥିବା ସୁଗନ୍ଧିତ କିମ୍ବା ଚର୍ବଣକ୍ଷମ ଖାଦ୍ୟ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ ।
୪. ଯଦି ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ମଧ୍ୟ ବିକ୍ରି କରାଯାଏ, ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତେବେ ସେହିପରି ବିକ୍ରୟ ମଧ୍ୟ ନିଷିଦ୍ଧ । ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତି (ନଂ. ୩୬୭/H) ର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ରେ ପ୍ରକାଶ ପାଇଛି ।

