ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀର ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ ପୁନଃସ୍ଥାପିତ କରିବ । ସେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ପ୍ରସ୍ତାବ ଉପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ।
ଖଣ୍ଡେଲୱାଲ ଚିଠିରେ ଲେଖିଛନ୍ତି ,ଐତିହାସିକ ସାହିତ୍ୟ, ପ୍ରତ୍ନତାତ୍ତ୍ୱିକ ପ୍ରମାଣ ତଥା ଦୀର୍ଘକାଳୀନ ସଭ୍ୟତାଗତ ପରମ୍ପରା ପ୍ରତିପାଦିତ କରେ ଯେ, ବର୍ତ୍ତମାନର ଦିଲ୍ଲୀ ହେଉଛି ପ୍ରାଚୀନ ଇନ୍ଦ୍ରପ୍ରସ୍ଥର ସ୍ଥାନ । ଯାହା ପାଣ୍ଡବମାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରାଜଧାନୀ । ମହାକାବ୍ୟ ମହାଭାରତରେ ଏହା ବର୍ଣ୍ଣିତ ହୋଇଛି ।
ଖଣ୍ଡେଲୱାଲଙ୍କ ଅନୁସାରେ, ଦିଲ୍ଲୀ ନାମ କେବଳ ଇତିହାସର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ପ୍ରତିଫଳିତ କରୁଛି । ସେ ଲେଖିଛନ୍ତି, ପୁରୁଣା କିଲ୍ଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ଖନନରୁ ପ୍ରାୟ ୩,୦୦୦ ବର୍ଷ ପୁରୁଣା ପ୍ରାଚୀନ ବସତିର ପ୍ରମାଣ ମିଳିଛି । ଯାହା ୧,୦୦୦ ବିସିଇଠାରୁ ଥିବାର ଜଣାପଡ଼ିଛି ।

