ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ରବିବାର ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲରେ ୪ ରାଜ୍ୟଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ମେ’ ୪ରେ ନିର୍ବାଚନୀ ଫଳାଫଳ ଆସିବ। ଏପ୍ରିଲ ୯ରେ ଗୋଟିଏ ପର୍ଯ୍ୟାୟରେ ଆସାମ, କେରଳ ଓ ପୁଡୁଚେରୀରେ ମତଦାନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨୩ ଓ ଏପ୍ରିଲ ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ମତଦାନ ଅନୁଷ୍ଠିତ ହେବ।
ଦେଶର ମୁଖ୍ୟ ନିର୍ବାଚନ ପ୍ୟାନେଲ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବହୁ ପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ପାଇଁ ଏହି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ସହିତ ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି।ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ନିର୍ବାଚନ ନାମାଙ୍କନତାରିଖ ଘୋଷଣା ସହିତ ଏହି ନିର୍ବାଚନରେ ୨୫ ଲକ୍ଷ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୪ ନିର୍ବାଚନ ମଣ୍ଡଳୀ ପାଇଁ ୨ ଲକ୍ଷ ୧୯ ହଜାର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।
୧୭ କୋଟି ୪ ଲକ୍ଷରୁ ଅଧିକ ମତଦାନ କରିବେ। ସମସ୍ତ ମତଦାନ କେନ୍ଦ୍ର ପାଇଁ ୧୦୦% ୱେବକାଷ୍ଟିଂ ସକ୍ଷମ କରିବେ ନିର୍ବାଚନ ଆୟୋଗ। ତାମିଲନାଡ଼ୁରେ ଏପ୍ରିଲ ୨୩ରେ ୨୩୪ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ମାର୍ଚ୍ଚ ୩୦ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶନ ପାଇଁ ତାରିଖ ରହିଛି। ଏପ୍ରିଲ ୬ ନାମାଙ୍କନ ଦାଖଲ ତାରିଖ, ଏପ୍ରିଲ ୭ରେ ନାମାଙ୍କନ ଯାଞ୍ଚ, ନାମାଙ୍କନ ପ୍ରତ୍ୟାହାର ପାଇଁ ଏପ୍ରିଲ ୯ ଶେଷ ତାରିଖ ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏପ୍ରିଲ ୯ରେ ମତଦାନ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ଗେଜେଟ୍ ବିଜ୍ଞପ୍ତି ପ୍ରକାଶନ ପାଇଁ ତାରିଖ ରହିଛି। ମାର୍ଚ୍ଚ ୨୩ ନାମାଙ୍କନ ଦାଖଲ, ମାର୍ଚ୍ଚ ୨୪ରେ ଯାଞ୍ଚ, ନାମାଙ୍କନ ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୬ ଶେଷ ତାରିଖ ରହିଛି। ନିର୍ବାଚନ ପଳାଫଳ ମେ’ ୪ ତାରିଖରେ ଆସିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି।

