ରାଷ୍ଟ୍ରପତି ଦୌପଦୀ ମୁର୍ମୁ କାଲି ରାଉରକେଲା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହେଉଛି ଇସ୍ପାତ ସହର। ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାର ପୋର୍ଟ ପାଖ ପଡିଆରେ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଛି।
ଏପରିକି ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି ସାଙ୍ଗକୁ ପାର୍କିଂ ବ୍ୟବସ୍ଥା ସୂଚାର ରୂପେ ପରିଚାଳନା ପାଇଁ ଡିଆଇଜି ରାୟ ନିର୍ଦ୍ଦେଶ ଦେଇଛନ୍ତି।

