ଚାଷୀଙ୍କ ପାଇଁ ଆଜି ହେଉଛି ବଡ଼ ଦିନ । ଚାଷୀଙ୍କୁ ସାଥ ଦେବାକୁ କ୍ଷେତକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଖିମୁଠି ପରେ ପରେ ୪୧ଲକ୍ଷରୁ ଅଧିକ ଚାଷୀଙ୍କୁ ଉପହାର ଦେଇ ଖୁସ କରିଛନ୍ତି । ହେଲେ ନୂଆ ତାଲିକାରେ ୧୦ ଲକ୍ଷରୁ ଅଧିକ ଚାଷୀ ବାଦ ପଡ଼ିଛନ୍ତି ।ଚାଷୀଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରୁଛନ୍ତି ସାରା ରାଜ୍ୟର ଚାଷୀ । ପରମ୍ପରା ଭିତରେ ଚାଷୀଙ୍କୁ ବଳ ଦେବାକୁ କ୍ଷେତ ମୁଣ୍ଡକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କଟକ ବିଦ୍ୟାଧରପୁର ସିଆରଆରଆଇ କ୍ୟାମ୍ପସର୍ରେ ହଳ ଲଙ୍ଗଳ ଜୋଚି ଚାଷ କାମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଖିମୁଠି ଅନୁକୂଳ ସହ ହଳ କରି ଜମିରେ ବିହନ ବୁଣିଛିନ୍ତି । କୃଷି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସାମିଲ ହୋଇଥିଲେ । ପରେ ପରେ ସିଏମ କିଷାନ ଯୋଜନାରେ ଚଷା ପୁଅକୁ ଅକ୍ଷୟ ତୃତୀୟାର ଭେଟି ଦେଇଛନ୍ତି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୨ହଜାର ଟଙ୍କା ।
୪୧ ଲକ୍ଷ ୬୮ ହଜାର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ପାଖକୁ ୮୩୮ କୋଟି ଟଙ୍କା ପଠାଇଛନ୍ତି ମୋହନ ମାଝୀ ।ଅକ୍ଷୟ ତୃତୀୟା ଅବସରରେ ଆଜି ୪୧ ଲକ୍ଷ୍ ୬୮ ହଜାର ଚାଷୀଙ୍କୁ ମିଳିଛି ସିଏମ କିଷାନ ସହାୟତା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ପଠାଇଛନ୍ତି ସରକାର । ହେଲେ ଗତବର୍ଷ ନୂଆଖାଇ ସମୟରେ ଯେତିକି ଚାଷୀଙ୍କ ପାଖକୁ ଟଙ୍କା ପଠାଯାଇଥିଲା, ଏଥର କିନ୍ତୁ ଚାଷୀଙ୍କ ସଂଖ୍ୟା ବାଦ ଦିଆଯାଇଛି । ସେପ୍ଟେମ୍ୱର ମାସରେ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ସିଧା କହିବାକୁ ଗଲେ ସିଏମ୍ କିଷାନ ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ବାଦ୍ ପଡ଼ିଛନ୍ତି ।

