ରବି ଧାନ ସଂଗ୍ରହ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରବି ଧାନ କ୍ରୟ ସଂପର୍କିତ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ଆଜିଠାରୁ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଧାନ ସଂଗ୍ରହ ଆରମ୍ଭ ହେବ।
ଧାନ ଧାର୍ଯ୍ୟ କ୍ରୟ ସମୟ ସୀମା ଜୁନ୍ ୩୦ ଯାଏଁ ରହିଛି। ଚଳିତ ବର୍ଷ ରବି ଫସଲ ପାଇଁ ୨୦ଟି ଜିଲ୍ଲାରୁ ମୋଟ ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ ପଂଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି।
ସେହିପରି ୨୦୨୫-୨୬ ଖରିଫରେ ୭୭.୪୮ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୫.୪୮ ପ୍ରତିଶତ ଅଧିକ। ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀ ଯେପରି ଉପକୃତ ହେବେ ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ମଣ୍ଡିଗୁଡ଼ିକରେ ଚାଷୀଙ୍କ ପାଇଁ ପାନୀୟ ଜଳ, ଆଶ୍ରୟସ୍ଥଳ ଏବଂ ଧାନ ସୁରକ୍ଷା ପାଇଁ ଯଥେଷ୍ଟ ପରିମାଣର ପାଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ମଣ୍ଡିରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ରହିବ।
ଏଥିସହ ୨୪୭୨ ଜଣ ନୋଡାଲ ଅଧିକାରୀ ସଂଗ୍ରହ ପ୍ରକ୍ରିୟାର ତଦାରଖ କରିବେ। ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ଥିବାରୁ, ମଣ୍ଡିକୁ ଆସୁଥିବା ଧାନ ଯେପରି ବର୍ଷାରେ ନଷ୍ଟ ନହୁଏ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

