ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇସାରିଛି ଲଘୁଚାପ । ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯଦିଓ ବଡ ବାତ୍ୟାର ଆକଳନ କରାଯାଇନାହିଁ କିନ୍ତୁ ହେବ ବଡ ବର୍ଷା । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ରହିବ ପ୍ରଭାବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବା ସହ ଗଞ୍ଜାମ, ଗଜପତି ଓ ରାୟଗଡାରେ ପବନ ସହ ପ୍ରବଳ ବର୍ଷା ରହିବ ।
ଗଜପତିରେ ୨୪ ଯାଏଁ ସ୍କୁଲ ଛୁଟି
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଫଳରେ ଆସନ୍ତା ୨୨ରୁ ୨୪ ତାରିଖ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି ଗଜପତି ଜିଲ୍ଲା ପ୍ରଶାସନ । ହେଡକ୍ୱାର୍ଟର ନ ଛାଡିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଜପତି ଜିଲ୍ଲାପାଳ । ପ୍ରବଳ ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଥିବାରୁ ବିନା କାରଣରେ ଘରୁ ନ ବାହାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ, ତହସିଲ, ବ୍ଲକ, ବିଦ୍ୟୁତ ଓ ଅଗ୍ନିଶ୍ରମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସଜାଗ କରାଯାଇଛି । ଆଗକୁ ଆବଶ୍ୟକ ପଡ଼ିଲେ ସ୍କୁଲ କଲେଜ ଛୁଟି କରାଯିବ । ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଗ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

