ନିଆଁ ମାଡ଼ରେ କଲବଲ ହେଲେ ସାରା ଓଡ଼ିଶାବାସୀ । ୨୭ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ । ୨୮ରୁ ତାତି ସାମାନ୍ୟ କମିପାରେ । ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା ।
ଶନିବାର ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ୫ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସ୍ ଡିଗ୍ରୀ ତାତିରେ ଆଜି ବି ଜଳିଥିଲା । ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଓ ବୌଦ୍ଧରେ ମଧ୍ୟ ପାରଦ ୪୫ ଡିଗ୍ରୀ ଛୁଇଁଥିଲା ।
ସୋନପୁର ତାପମାତ୍ରା ୪୪.୭, ବଲାଙ୍ଗୀର ୪୪.୫, ଭବାନୀପାଟଣା ୪୪.୫, ନୂଆପଡ଼ା ୪୩.୫, ବରଗଡ଼ ୪୨.୮, ସୁନ୍ଦରଗଡ଼ ୪୨.୨ ଡିଗ୍ରୀ ଥିଲା । ଉପକୂଳରେ ପାରଦ ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁ ସାଂଘାତିକ ଥିଲା ଗରମର ଯନ୍ତ୍ରଣା । ଭୁବନେଶ୍ୱର ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା ।
ପଶ୍ଚିମରେ ଅତ୍ୟଧିକ ଗ୍ରୀଷ୍ମ ପ୍ରକୋପ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି । ଝାଞ୍ଜିରେ ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଉପକୂଳରେ ଅସମ୍ଭାଳ ହୋଇଯାଇଛି ଗୁଳୁଗୁଳି ଯନ୍ତ୍ରଣା ।
ଦିନ ସାଢ଼େ ୧୧ଟାବେଳେ ଭୁବନେଶ୍ୱରରେ ୫୨ ଡିଗ୍ରୀ ଭଳି ଗରମ ଅନୁଭୂତ ହୋଇଥିଲା । ସକାଳ ସାଢ଼େ ୫ଟାବେଳକୁ ତାପମାତ୍ରା ୩୦.୬ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୮୮% ଥିଲା । ଯେଉଁଥିପାଇଁ ସକାଳୁ ୪୨ ଡିଗ୍ରୀ ଭଳି ତାତି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଭୁବନେଶ୍ୱରବାସୀ ।

