ବଦଳିବ ବିଏଡ୍, ଏମ୍‌ଏଡ୍‌ ପାଠ୍ୟକ୍ରମ, ବାର୍ଷିକ ବଦଳରେ ହେବ ସେମିଷ୍ଟାର

ରାଜ୍ୟର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ପାଠ୍ୟପୁସ୍ତକରେ ପରିବର୍ତ୍ତନ ହେବ । ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପାଠ୍ୟକ୍ରମ ପ୍ରସ୍ତୁତ ହେବ । ଶିକ୍ଷାଗତ ପରିବେଶର ଆବଶ୍ୟକତାକୁ ଭିତ୍ତି କରି ସିଲାବସ୍ ପ୍ରସ୍ତୁତ ହେବ । ୨ବର୍ଷିଆ ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ସିଲାବସ୍ ପରିବର୍ତ୍ତନ ହେବ । ଦୀର୍ଘ ୧୨ ବର୍ଷ ପରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଆଗରୁ ବିଏଡ୍ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦେଉଥିବା ବେଳେ ଏଣିକି ସେମିଷ୍ଟାର ଢାଞ୍ଚାରେ ପରୀକ୍ଷା ଦେବେ । ଏଥିପାଇଁ ଏକ ୧୬ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ପାଠ୍ୟକ୍ରମକୁ ସମୀକ୍ଷା କରି କ’ଣ ପରିବର୍ତ୍ତନ ହେବ ତାକୁ ପରାମର୍ଶ ଦେବ ।
ଆସନ୍ତା ୩୦ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏଥିରେ କମିଟିର ୧୬ଜଣ ସଦସ୍ୟ ଉପସ୍ଥିତ ରହିବାକୁ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଦୁଇବର୍ଷିଆ ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ପାଠ୍ୟପୁସ୍ତକ ମଧ୍ୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ପାଠ୍ୟକ୍ରମର ସଂପୂର୍ଣ୍ଣ ସିଲାବସରେ ପରିବର୍ତ୍ତନ କରାଯିବ । ଶିକ୍ଷାବର୍ଷ ୨୦୨୬-୨୭ରୁ ଏହାକୁ ଲାଗୁ କରାଯାଇପାରେ । ସବୁଠୁ ବଡ଼ କଥା ଆଗରୁ ବିଏଡ୍ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦେଉଥିଲେ । ମାତ୍ର ପାଠ୍ୟକ୍ରମରେ ପରିବର୍ତ୍ତନ ହେଲେ ବାର୍ଷିକ ବଦଳ ବଦଳରେ ସେମିଷ୍ଟାର ପରୀକ୍ଷା ଦେବେ । ବର୍ତ୍ତମାନର ପ୍ରାସଙ୍ଗିକତା, ଭାରତୀୟ ଜ୍ଞାନ ବ୍ୟବସ୍ଥାର ଅନ୍ତର୍ଭୁକ୍ତୀକରଣ ଓ ବୈଷୟିକ ଦୃଢ଼ତା ନିଶ୍ଚିତ କରିବାରେ ଏହି ସେମିଷ୍ଟର ପରୀକ୍ଷା ସହଯୋଗ କରିବ ବୋଲି ବିଭାଗ କହିଛି । ଏଥିପାଇଁ କମିଟି ସୂଚାରୁ ରୂପେ ବର୍ତ୍ତମାନର ଗଠନ ପ୍ରଣାଳୀର ସମୀକ୍ଷା କରିବେ । ତ୍ରୁଟିକୁ ଚିହ୍ନଟ କରିବେ, ଆବଶ୍ୟକ ସଂଶୋଧନ କରିବେ । ବର୍ତ୍ତମାନ ପଢ଼ାଯାଉଥିବା ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ବ୍ୟାପକ ସମୀକ୍ଷା କରିବେ ।
ଏହି କମିଟିରେ ଓଏସ୍ଏଚ୍ଇସିର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫେସର ଅତନୁ ପତି, ଏକାଡେମିକ୍ ପରାମର୍ଶଦାତା ଡ. ପ୍ରଦୀପ କୁମାର ବେହେରା, ମନସ୍ତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ୟୁଏନ୍ ଦାସ, ପ୍ରଫେସର ନିବେଦିତା ଜେନା, ଅବସରପ୍ରାପ୍ତ ଇଂରାଜୀ ଆସୋସିଏଟ୍ ପ୍ରଫେସର ଡ. ପ୍ରମଥେଶ ଦାସ, ଶିକ୍ଷା ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ଡ. ଶରତ କୁମାର କାନ୍ଥ, ଖୋର୍ଦ୍ଧା ଡିଆଇଇଟିର ଅଧ୍ୟକ୍ଷ ଡ. ତାପସ କୁମାର ନାୟକ, ଏସ୍ସିଇଆର୍ଟିର ସହକାରୀ ନିର୍ଦ୍ଦେଶକ ଲିପିକା ସାହୁ, ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ମାନସ ଚନ୍ଦ୍ର ରାଉତ, ଆରଆଇଇ ଭୁବନେଶ୍ୱର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ବସନ୍ତ କୁମାର ପଣ୍ଡା, ଆସୋସିଏଟ୍ ପ୍ରଫେସର ଡ. ଜିନା କେ ଜି, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡ. ସମ୍ବିତ କୁମାର ପାଢ଼ୀ, ଏଚ୍ଟିଟିଆଇ କଟକର ହିନ୍ଦୀ ପ୍ରଫେସର ସତ୍ୟନାରାୟଣ ପଣ୍ଡା, ଶୈଳବାଳା ମହିଳା କଲେଜର ହିନ୍ଦୀ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଶ୍ମୀରେଖା ଜେନା ରହିଛନ୍ତି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!