ଇବୋଲା ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଅଧିକାରୀମାନେ ଶନିବାର ବିଳମ୍ବିତ ରାତିରେ ଇବୋଲା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୦୪ ଛୁଇଁଥିବା ସୂଚନା ପ୍ରଦାନ କରିଛନ୍ତି। ଇଟୁରିରେ ତିନି ଜଣ କଙ୍ଗୋ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଥିବା ରେଡକ୍ରସ୍ କହିଛି। ଇବୋଲା ସହିତ ସମ୍ପର୍କିତ ନ ଥିବା ଏକ ମାନବିକ ମିଶନର ଅଂଶ ଭାବରେ ଏହି ତିନିଜଣ ମୃତଦେହ ସ୍ଥାନାନ୍ତର କରୁଥିଲେ ବୋଲି ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ରେଡକ୍ରସ୍ ଆଆକ୍ରାନ୍ତଙ୍କଣ୍ଡ ରେଡ କ୍ରେସେଣ୍ଟ ସୋସାଇଟିଜ୍ କହିଛି। ଇବୋଲା ଭାଇରସର ପ୍ରାଦୁର୍ଭାବ ବିଷୟରେ ସେମାନେ ଅବଗତ ନଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତିରେ କୁହାଯାଇଛି, ଦେଶର ତିନୋଟି ପ୍ରଦେଶରେ ୮୬୭ସନ୍ଦିଗ୍ଧ ମାମଲା ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଶନିବାର ଦିନ, ଆଫ୍ରିକୀୟ ୟୁନିଅନର ସ୍ୱାସ୍ଥ୍ୟ ସଂସ୍ଥା ଚେତାବନୀ ଦେଇଥିଲା ଯେ ଡିଆରସି ଏବଂ ଉଗାଣ୍ଡା ବ୍ୟତୀତ ଆଫ୍ରିକା ମହାଦେଶର ଅଧିକ ଦେଶ ଇବୋଲା ଭାଇରସ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କାରେ ଅଛନ୍ତି। ଆଫ୍ରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍ (ଆଫ୍ରିକା ସିଡିସି)ର ମୁଖ୍ୟ ଜିନ୍ କାସେୟା କହିଛନ୍ତି ଆମର ୧୦ ଦେଶ ଉପରେ ବିପଦ ଘନେଇବାରେ ଲାଗିଛି। ସେସବୁ ଦେଶ ମଧ୍ୟରେ ଆଙ୍ଗୋଲା, ବୁରୁଣ୍ଡି, କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ, କଙ୍ଗୋ ଗଣରାଜ୍ୟ, ଇଥିଓପିଆ, କେନିଆ, ରୱାଣ୍ଡା, ଦକ୍ଷିଣ ସୁଡାନ, ତାଞ୍ଜାନିଆ ଏବଂ ଜାମ୍ବିଆ ରହିଛି। କାସେୟା କହିଛନ୍ତି, ଅଞ୍ଚଳରେ ସଂକ୍ରମଣ ହାର ବୃଦ୍ଧି ଏବଂ ସୁରକ୍ଷା ନେଇ ସଚେତନତାର ଅଭାବ ଯୋଗୁଁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାଯୋଗ୍ୟ, ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ଆଫ୍ରିକାରେ ଇବୋଲା ୧୫,୦୦୦ ରୁ ଅଧିକ ଲୋକଙ୍କର ଜୀବନ ନେଇଛି।

