ପବ୍ରେ ଲେଡି ଆଇପିଏସ୍ଙ୍କ ରାତିଅଧିଆ ସରପ୍ରାଇଜ୍ ରେଡ୍ । ହାଇଦ୍ରାବାଦରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ୍, ୯ ଗିରଫ । ହାଇଦ୍ରାବାଦ କୁକଟପଲ୍ଲୀ ଅଞ୍ଚଳର ଏକ ପବ୍ରେ ଚଢ଼ାଉ କରାଯାଇଥିଲା । ଏହି ପବରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ନେଇ ସୂଚନା ମିଳିବା ପରେ ରେଡ୍ କରିଥିଲା ପୁଲିସ ।
ଯୁବ ମହିଳା ଆଇପିଏସ୍ ଅଫିସର ରିତି ରାଜଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ସିନେମା ଷ୍ଟାଇଲ୍ରେ ହୋଇଥିବା ଏହି ରେଡରେ ପବ୍ ଭିତରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଏବଂ ବ୍ୟାପକ ନିୟମ ଉଲ୍ଲଂଘନର ପର୍ଦ୍ଦାଫାସ୍ ହୋଇଛି । ନିଜେ ଗ୍ରାହକ ସାଜି ଏହି ଅପରେସନ କରିଥିଲେ ଡିସିପି ରୀତି ରାଜ । ଡିସିପି ନିଜେ ସାଧା ପୋଷାକରେ ଗୋପନୀୟ ଭାବେ କ୍ଲବ୍ ମସ୍ତିକୁ ଯାଇ ସତ୍ୟାସତ୍ୟ ଯାଞ୍ଚ କରିଥିଲେ ଏବଂ ପ୍ରମାଣ ମିଳିବା ମାତ୍ରେ ଟିମ୍ ସହ ଚଢ଼ାଉ କରିଥିଲେ ।
ପବ୍ରେ ଗ୍ରାହକମାନଙ୍କୁ ପ୍ରଲୋଭିତ କରିବା ଏବଂ ଦେହ ବ୍ୟବସାୟ ପାଇଁ ମହିଳାମାନଙ୍କୁ ବ୍ୟବହାର କରାଯାଉଥିଲା । କେବଳ ସେତିକି ନୁହେଁ, ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରି ସେମାନଙ୍କ ନାଁରେ ମାତ୍ରାଧିକ ଟଙ୍କାର ବେଆଇନ ବିଲ୍ ପ୍ରସ୍ତୁତ କରାଯାଉଥିଲା । ଚଢ଼ାଉବେଳେ ପବ୍ରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । ପୁଲିସ ପବ୍ର ୯ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୪ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି ।

