ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଦାଣ୍ଡବୋଷରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏଥିସହ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ଶନିବାର ଦିନିକିିଆ ଓଡ଼ିଶା ଗସ୍ତରେ ଆସିବେ । ପଶ୍ଚିମବଙ୍ଗ କଲାଇକୁଣ୍ଡା ଏୟାରବେସ ରାଷ୍ଟ୍ରପତି ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ଯୋଗେ ଶୁକ୍ରବାର ଅପରାହ୍ଣ ୨ଟା ୪୫ରେ ମୟୂରଭଞ୍ଜ ଅଭିମୁଖେ ବାହାରିବେ । ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ଏୟାରପୋର୍ଟରେ ଅପରାହ୍ଣ ୩ଟା ୧୫ରେ ପହଞ୍ଚିବେ ।
ସନ୍ଧ୍ୟାରେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଚିକିତ୍ସାୟଳୟ ପରିସରରେ ଅନୁଷ୍ଠିତ ଏମ୍ସ ଦ୍ୱାରା ପରିଚାଳିତ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପକୁ ଉଦଘାଟନ କରିବେ । ପରେ ସେଠାରୁ ସଡ଼କ ପଥରେ ରାଇରଙ୍ଗପୁରସ୍ଥିତ ନିଜ ଘରକୁ ଯିବେ । ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ପରଦିନ ଅର୍ଥାତ୍ ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍ଆଇ-୧୭) ଯୋଗେ ଦିଘିବେଡ଼ା ହେଲିପ୍ୟାଡ୍ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମୟୂରଭଞ୍ଜରେ ପହଞ୍ଚିବେ । ପୂର୍ବାହ୍ନ ୧୧ଟା ୧୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଉଭୟ ଏକ ଆବାସିକ ସ୍କୁଲ ଓ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବେ । ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟା ୨୦ରେ ରାଷ୍ଟ୍ରପତି ଦିଘିବେଡ଼ାରୁ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ବିମାନବନ୍ଦର ଯିବେ ।

