ତୃଣମୂଳ କଂଗ୍ରେସ(ଟିଏମସି)କୁ ପୁଣି ଏକ ଝଟକା ଲାଗିଛି। ଶନିବାର ପାର୍ଟିର ବରିଷ୍ଠ ନେତା ତଥା ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଅନୁବ୍ରତ ମଣ୍ଡଳ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି। ପଶ୍ଚିମବଙ୍ଗ ବିରୋଧୀ ରାଜନୀତିରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି କୁହାଯାଉଛି। ମଣ୍ଡଳଙ୍କ ପଦକ୍ଷେପ ନେଇ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ ପୁଷ୍ଟି କରିଥିବା ବେଳେ ମଣ୍ଡଳଙ୍କୁ ବୀରଭୂମ ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏହି ପରିବର୍ତ୍ତନ ଏବେ ଜିଲ୍ଲାରେ ରାଜନୈତିକ ସ୍ଥିତିରେ ପରିବର୍ତ୍ତନର ଆଶଙ୍କା କରାଯାଉଛି। କାରଣ ଅନୁବ୍ରତ ଦୀର୍ଘ ସମୟରୁ ଟିଏମସିର ପ୍ରମୁଖ ନେତାଙ୍କ ମଧ୍ୟରେ ଜଣେ ହୋଇଥିଲେ।
ସୂତ୍ର ଅନୁସାରେ ଏହି ଘଟଣାକ୍ରମ ଶୁକ୍ରବାର ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ପୂର୍ବତନ ଉପ ବାଚସ୍ପତି ଆଶିଷ ବନ୍ଦୋପଧ୍ୟାୟ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ। ଏହା ପରେ ବିଦ୍ରୋହୀ ଗୋଷ୍ଠୀର ଜନୈକ ବିଧାୟକ ମଣ୍ଡଳଙ୍କ ସହ ସମ୍ପର୍କ କରିଥିଲେ ଓ ତାଙ୍କୁ ବିଦ୍ରୋହୀଙ୍କ ଗୋଷ୍ଠୀରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। କୁହାଯାଉଛି ମଣ୍ଡଳ ଏହି ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି। ଅନୁବ୍ରତ ମଣ୍ଡଳଙ୍କୁ ଦୀର୍ଘ ବର୍ଷରୁ ମମତାଙ୍କ ଜଣେ ଅନୁଗାମୀ ଭାବେ ଦେଖାଯାଇଛି । ମମତା ବାନାର୍ଜୀ ଅନେକ ଥର ରାଜନୈତିକ ବିବାଦ ଓ ଆଇନଗତ ସମସ୍ୟାରେ ଅନୁବ୍ରତଙ୍କୁ ସମର୍ଥନ କରିଛନ୍ତି।
ମଣ୍ଡଳ ମଧ୍ୟ ଟିଏମସି ପ୍ରତି ତାଙ୍କ ବିଶ୍ୱସ୍ଥତା କାୟମ ରଖିଥିଲେ ଓ ବାରମ୍ବାର କହୁଥିଲେ ମମତା ବାନାର୍ଜୀ ପାର୍ଟିର ଅସଲି ମୁହଁ। ହେଲେ ସେ ମଧ୍ୟ ଶେଷରେ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀରେ ନିଜକୁ ସାମିଲ କରିଦେଇଛନ୍ତି।

