ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ୧୦ ଜଣ ପଞ୍ଚାୟତ ସମିତି ସଦସ୍ୟଙ୍କ ନାଁରେ ଏତଲା ଦେଲେ ମହିଳା ସରପଞ୍ଚ । ବାଜିତପୁର ସରପଞ୍ଚ ତୁଳସୀ ଜେନା ଅଭିଯୋଗ କରିଛନ୍ତି ଯେ ବ୍ଲକ ସମ୍ମିଳନୀ କକ୍ଷରେ ବୈଠକ ଚାଲିଥିବା ସମୟରେ ଭୋଗରାଇ ବିଡିଓଙ୍କ ଉପସ୍ଥିତିରେ ବିଧାୟକ ତାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ସହ ଜାତିଆଣ ଆକ୍ଷେପ କରିଛନ୍ତି ।
ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ । ଏପରିକି ତାଙ୍କ ବେକରୁ ପ୍ରାୟ ୨୦ ଗ୍ରାମ ଓଜନର ଏକ ସୁନା ଚେନ୍ ଦୁର୍ବୃତ୍ତମାନେ ଛିଣ୍ଡାଇ ନେଇଛନ୍ତି । ଭୋଗରାଇ ବ୍ଲକ ପରିସରରେ ବିଧାୟକଙ୍କ ଦ୍ଵାରା ଏକ ଉନ୍ନୟନ ସମୀକ୍ଷା ବୈଠକ ଡକାଯାଇଥିଲା। ଏଥିରେ ଭୋଗରାଇ ବିଡିଓ ପ୍ରଶାନ୍ତ ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଏବଂ ଦୁଇ ଜଣ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।
ତେବେ ଯେଉଁ ପିଏସ୍ ସଦସ୍ୟମାନଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇ ନଥିଲା, ସେମାନେ ସେଠାରେ ପହଞ୍ଚି କାହିଁକି ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ସେହିପରି କିଛି ବିଜେପି କର୍ମୀ ଜୋରଜବରଦସ୍ତ ଭିତରକୁ ପଶି ଆସି ହୋହୋଲ୍ଲା କରିଥିଲେ । ହଟ୍ଟଗୋଳ ଭିତରେ ହିଁ ସରପଞ୍ଚଙ୍କ ସହ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଭୋଗରାଇ ବିଡ଼ିଓ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି କହିଛନ୍ତି ଯେ, ତାଙ୍କ ଉପସ୍ଥିତିରେ ବିଧାୟକ କାହାକୁ କୌଣସି ଅଶାଳୀନ ବ୍ୟବହାର କିମ୍ବା କଟୁ ମନ୍ତବ୍ୟ ଦେଇ ନାହାନ୍ତି।
ସେଠାରେ କୌଣସି ଧସ୍ତାଧସ୍ତି କିମ୍ବା ସୁନା ଚେନ୍ ଚୋରି ହୋଇନାହିଁ, ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଭୋଗରାଇ ବିଧାୟକ ମଧ୍ୟ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ସମସ୍ତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ଦର୍ଶାଇ, ସେଠାରେ ଅନାବଶ୍ୟକ ଭାବେ ହୋହୋଲ୍ଲା କରିଥିବା ଯୁବକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

