ଓଡ଼ିଶାର ଶିଳ୍ପ ସଙ୍ଗଠନ ନେତୃତ୍ୱଙ୍କ ପାଇଁ ଓକେସିଏଲ୍ ପକ୍ଷରୁ ନେତୃତ୍ୱସ୍ତରୀୟ AI କ୍ଷମତା ବିକାଶ କର୍ମଶାଳା ଆୟୋଜିତ

ଭୁବନେଶ୍ୱର | ୭ ଅଗଷ୍ଟ ୨୦୨୬
ଓଡ଼ିଶାର ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ଅଧିକ ବ୍ୟାପକ କରିବା ଏବଂ ଶିଳ୍ପ ନେତୃତ୍ୱଙ୍କୁ AI ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ (OKCL) ପକ୍ଷରୁ ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ “ନେତୃତ୍ୱସ୍ତରୀୟ AI କ୍ଷମତା ବିକାଶ କର୍ମଶାଳା” ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଅଗ୍ରଣୀ ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି କର୍ମଶାଳାରେ ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସ (BCIC)ର ସଭାପତି ଶ୍ରୀ ସଞ୍ଜୟ ଦାସ, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ସହକାରୀ ନିର୍ଦ୍ଦେଶକ ଶ୍ରୀ କେ. ଶ୍ରୀହରି ପାତ୍ର, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (FIEO)ର ମୁଖ୍ୟ ଶ୍ରୀ କମଳାକାନ୍ତ ସାହୁଙ୍କ ସମେତ ଇଣ୍ଡିଆନ୍ ଚେମ୍ବର୍ ଅଫ୍ କମର୍ସ (ICC), ଫେଡେରେସନ୍ ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (FTII), ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା (HRAO) ଏବଂ ରାଜ୍ୟର ଅନ୍ୟାନ୍ୟ ଅଗ୍ରଣୀ ଶିଳ୍ପ ସଙ୍ଗଠନର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଉଦ୍ଘାଟନ ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳ କରିଥିଲେ। ସେ କହିଥିଲେ ଯେ, ଆଜିର ଦିନରେ AI କେବଳ ଏକ ପ୍ରଯୁକ୍ତି ନୁହେଁ, ବରଂ ନବସୃଜନ, ଉତ୍ପାଦନଶୀଳତା, ସଠିକ୍ ନିଷ୍ପତ୍ତି ଗ୍ରହଣ ଏବଂ ବ୍ୟବସାୟିକ ପ୍ରତିଯୋଗିତା ବୃଦ୍ଧିର ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍ ଅର୍ଥନୀତିରେ ଆଗକୁ ବଢ଼ିବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ AIକୁ ଅଙ୍ଗୀକାର କରି ନିଜ କର୍ମଚାରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ।

କର୍ମଶାଳାରେ AI ଟୁଲ୍‌ର ବ୍ୟବହାର, ବ୍ୟବସାୟ ପରିଚାଳନା, ନେତୃତ୍ୱ, କାର୍ଯ୍ୟଦକ୍ଷତା ବୃଦ୍ଧି, ନିଷ୍ପତ୍ତି ଗ୍ରହଣ ଓ ସଂସ୍ଥାଗତ ପରିବର୍ତ୍ତନ ଉପରେ ହାତେକଲମେ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ AIର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ନୈତିକତା, ସୁଶାସନ ଏବଂ ସ୍ଥାୟୀ ବିକାଶ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ଅଂଶଗ୍ରହଣକାରୀମାନେ କର୍ମଶାଳାର ପ୍ରାୟୋଗିକ ଧାରାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ AIର ବ୍ୟବହାର, ଡିଜିଟାଲ୍ ପରିବର୍ତ୍ତନ ଓ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ସହଯୋଗାତ୍ମକ ସୁଯୋଗ ଉପରେ ସକ୍ରିୟ ମତବିନିମୟ କରିଥିଲେ। ଏହି କର୍ମଶାଳା ଶିଳ୍ପ ସଙ୍ଗଠନ ଓ ଓକେସିଏଲ୍ ମଧ୍ୟରେ ଭବିଷ୍ୟତ ସହଯୋଗର ଏକ ସଶକ୍ତ ମଞ୍ଚ ସୃଷ୍ଟି କରିଥିଲା।

ଏହି ଅବସରରେ ଡ. ମନୋରଞ୍ଜନ ପୁଥାଳ ଉପସ୍ଥିତ ସମସ୍ତ ଶିଳ୍ପ ସଙ୍ଗଠନର ପ୍ରତିନିଧିମାନଙ୍କୁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ସେ ଓକେସିଏଲ୍‌ର ସମସ୍ତ ଟିମ୍ ସଦସ୍ୟଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ମଧ୍ୟ ପ୍ରଶଂସା କରି କହିଥିଲେ ଯେ, ଏଭଳି ସହଯୋଗାତ୍ମକ ପଦକ୍ଷେପ ଓଡ଼ିଶାରେ ଶିଳ୍ପ କ୍ଷେତ୍ର ଓ ଜ୍ଞାନଭିତ୍ତିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବା ସହ AIର ବ୍ୟାପକ ବ୍ୟବହାରକୁ ତ୍ୱରାନ୍ୱିତ କରିବ।

ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ (OKCL) ଶିଳ୍ପ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ AI ସଚେତନତା ଓ ଡିଜିଟାଲ୍ ଦକ୍ଷତାକୁ ଆହୁରି ମଜବୁତ କରି ଡିଜିଟାଲ୍ ଇଣ୍ଡିଆ, ବିକଶିତ ଓଡ଼ିଶା–୨୦୩୬, ବିକଶିତ ଭାରତ–୨୦୪୭ ଏବଂ ଜାତୀୟ ଶିକ୍ଷା ନୀତି (NEP)–୨୦୨୦ର ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!