ନେପାଳରେ ପ୍ରଳୟଙ୍କରୀ ବନ୍ୟା: ୱାଗ୍ଲେକାଠମାଣ୍ଡୁ:ହିମାଳୟରେ ଘଟିଥିବା ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ନେପାଳ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଦେଶର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ପୁନର୍ନିର୍ମାଣ ଏବଂ ପୁନଉଦ୍ଧାର ପାଇଁ ପ୍ରାୟ ୪ ରୁ ୫ ବିଲିୟନ (ଅବ୍ଜର) ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୫ ଅବ୍ଜର ଡଲାର ଆବଶ୍ୟକ ହେବ ବୋଲି ଆକଳନ କରିଛନ୍ତି ନେପାଳର ଅର୍ଥମନ୍ତ୍ରୀ ଡ. ସ୍ୱର୍ଣ୍ଣିମ ୱାଗ୍ଲେ।
ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ନେପାଳ ଏବଂ ଚୀନର ତିବ୍ଦତ ଅଞ୍ଚଳରେ ମୋଟ ୬୦୦ରୁ ଅଧିକ ଜୀବନ ଗଲାଣି ଏବଂ ଦୁଇ ହଜାରରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଦେଶର ଉତ୍ତର ସୀମାନ୍ତ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିବା ଯୋଗୁଁ ରାସ୍ତାଘାଟ, ପୋଲ, ଏବଂ ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।ମୋଟ କ୍ଷତି: ଆକଳନ ଅନୁଯାୟୀ, ଏହି ପୁନର୍ନିର୍ମାଣ ଖର୍ଚ୍ଚ ନେପାଳର ମୋଟ ଅର୍ଥନୀତିର ପ୍ରାୟ ଏକ ଦଶମାଂଶ ସହ ସମାନ।
ଜଳବିଦ୍ୟୁତ କ୍ଷତି: ବନ୍ୟା ଯୋଗୁଁ ନେପାଳର ଜାତୀୟ ଉତ୍ପାଦନ କ୍ଷମତାର ୧୨ ପ୍ରତିଶତରୁ ଅଧିକ କ୍ଷମତାସମ୍ପନ୍ନ ଜଳବିଦ୍ୟୁତ ପ୍ରକଳ୍ପ ଭାଙ୍ଗିଯାଇଛି। ୨୦୧୫ ଭୂକମ୍ପ ତୁଳନାରେ କମ୍: ତେବେ ୨୦୧୫ ମସିହାର ବିଧ୍ୱଂସୀ ଭୂକମ୍ପ ସମୟରେ ଆବଶ୍ୟକ ହୋଇଥିବା ପାଖାପାଖି ୯ ବିଲିୟନ ଡଲାର ତୁଳନାରେ ଏଥର ପୁନର୍ନିର୍ମାଣ ପାଇଁ ବହୁତ କମ୍ ଅର୍ଥ ଲାଗିବ ବୋଲି ଅର୍ଥମନ୍ତ୍ରୀ ୱାଗ୍ଲେ ସୂଚନା ଦେଇଛନ୍ତି।ବିପର୍ଯ୍ୟୟର ଏହି ଦୁଃସମୟରେ ନେପାଳ ସରକାର ଆନ୍ତର୍ଜାତୀୟ ସହଯୋଗ ଏବଂ ବିଶେଷଜ୍ଞ ବୈଷୟିକ ସହାୟତା ପାଇଁ ନିବେଦନ କରିଛନ୍ତି।
ପଡ଼ୋଶୀ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଓ ଜରୁରୀ ସାମଗ୍ରୀ ପଠାଯିବା ଜାରି ରହିଛି। ବର୍ତ୍ତମାନ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କାର୍ଯ୍ୟ ଜାରି ରହିଥିବାବେଳେ ପର୍ଯ୍ୟଟନ, ପ୍ରବାସୀ ରେମିଟାନ୍ସ ଏବଂ ଜଳବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ନେପାଳ ଅର୍ଥନୀତି ପାଇଁ ଏହା ଏକ ବଡ଼ ଆଘାତ ସୃଷ୍ଟି କରିଛି।

