ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଶେଷକରି କଟକ ଓ ପୁରୀ ଉପରେ ଫୋକସ୍ ପାଇଁ ପରାମର୍ଶ ଦିଆଯାଇଛି । ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବେ । ରିପୋର୍ଟ ଆଧାରରେ ଅସୁରକ୍ଷିତ ବିଲ୍ଡିଂ ଗୁଡ଼ିକୁ ଭଙ୍ଗା ଯିବ ।
ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସରକାରୀ ଓ ଘରୋଇ କୋଠାଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ, ମୂଲ୍ୟାଙ୍କନ ଓ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିପଦପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ମୂଲ୍ୟାଙ୍କନ ପୂର୍ବରୁ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ନୋଟିସ୍ ମଧ୍ୟ ଜାରି ହୋଇଛି । ଏହି ପ୍ରସଙ୍ଗରେ ଗତକାଲି ବିଭାଗ ସହ ଆଉ ଏକ ସମୀକ୍ଷା ବୈଠକ କରାଯାଇଥିବା ସେ ସୂଚନା ଦେଇଛନ୍ତି ।“ମୂଲ୍ୟାଙ୍କନ ଆଧାରରେ ବିପଦସଙ୍କୁଳ ଭାବେ ଚିହ୍ନଟ ସମସ୍ତ ସରକାରୀ କୋଠା ଯାଞ୍ଚ କରାଯାଇଛି ଏବଂ ନୋଟିସ୍ ମଧ୍ୟ ପଠାଯାଇଛି । ଗତକାଲି ସେ ବିଭାଗ ସହିତ ଆଉ ଏକ ସମୀକ୍ଷା କରିଛି । ଖୁବ୍ ଶୀଘ୍ର ବିପଦପୂର୍ଣ୍ଣ ପ୍ରମାଣିତ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ନୋଟିସ୍ ଜାରି କରାଯିବ ବୋଲି ଡଃ ମହାପାତ୍ର କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିଭାଗ ଅଧୀନରେ ଥିବା ବିପଦପୂର୍ଣ୍ଣ କୋଠାଗୁଡ଼ିକ ବିରୋଧରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଅନ୍ୟ ସରକାରୀ ବିଭାଗ ଅଧୀନରେ ଥିବା କୋଠାଗୁଡ଼ିକ ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମନ୍ୱୟ ରକ୍ଷା କରାଯିବ । ଏହି ଅଭିଯାନର ପରିସରକୁ ଘରୋଇ କୋଠା ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

