ନନ୍ଦନକାନନରେ ନୂଆ ଅତିଥି ୫ ଓରାଂଉଟାନ୍‌

ବାଲେଶ୍ବର ଜିଲ୍ଲା ଭୋଗରାଇ ରଣକାଠ ଜଙ୍ଗଲରୁ ମିଳିଥିବା ୫ଟିଯାକ ଓରାଂଉଟାନ୍‌ ଆଜି ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିଛନ୍ତି। ନୂଆ ଅତିଥି ଭାବେ ସେମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି। ଏକାଥରକେ ପାଞ୍ଚ ପାଞ୍ଚଟି ଓରାଂଉଟାନ୍‌ ପାଇବା ପରେ ନନ୍ଦନକାନନ କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଏବେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ସୁରକ୍ଷା କାରଣରୁ ପ୍ରାୟ ମାସାଧିକ କାଳ ସେମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ ଶିଶୁ ପ୍ରାଣୀ ଯତ୍ନକେନ୍ଦ୍ରରେ ରଖାଯିବ ବୋଲି ଜଣାପଡ଼ିଛି। ଚିକିତ୍ସକ ଓ ଜନ୍ତୁରକ୍ଷକଙ୍କ ସେବାଯତ୍ନରେ ସେମାନଙ୍କୁ ରଖାଯିବ ଏବଂ ଲାଳନପାଳନ କରାଯିବ। ଏଠିକାର ଜଳବାୟୁ ସହିତ ସେମାନେ ନିଜକୁ ଖାପ ଖୁଆଇବା ପର୍ଯ୍ୟନ୍ତ ଜନ୍ତୁରକ୍ଷକ ଓ ଚିକିତ୍ସକମାନଙ୍କ ନଜରରେ ସେମାନେ ରହିବେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯିବ ଏବଂ ସେତେବେଳେ ହିଁ  ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ। 
ସୂଚନାଯୋଗ୍ୟ ଯେ ଭାରତରେ ବିରଳ ହେଲେ ହେଁ ନନ୍ଦନକାନନ ଇତିହାସରେ ଓରାଂଉଟାନ୍‌ ନୂଆ କଥା ନୁହେଁ। ନନ୍ଦନକାନନରେ ମାଈ ଓରାଂଉଟାନ୍‌ ‘ବିନି’ ୧୬ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ୨୦୦୩ ନଭେମ୍ବର ୨୦ରେ ପୁନେସ୍ଥିତ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କରୁ ବିନିକୁ ଅଣାଯାଇଥିଲା। ୨୦୧୯ ମେ ୨୯ରେ ବିନିର ମୃତ୍ୟୁ ହୋଇଗଲା। ଏହି ୧୬ବର୍ଷ ଭିତରେ ବିନି ପାଇଁ ପୁରୁଷ ଓରାଂଉଟାନ୍‌ ସାଥୀଟିଏ ମିଳିବା ସମ୍ଭବ ହେଲା ନାହିଁ। ତେଣୁ ଦୀର୍ଘ ବର୍ଷର ନିଃସଙ୍ଗ ଜୀବନ ଜିଇଁଜିଇଁ ବିନି ବୁଢ଼ୀ ହୋଇଗଲା ଏବଂ ଶେଷରେ ଆଖି ବୁଜିଦେଲା। ସେବେଠୁ ପ୍ରାୟ ୮ବର୍ଷ ହେଲା ନନ୍ଦନକାନନରେ ଏହି ବିରଳ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହୋଇଛନ୍ତି। ସେହିଭଳି ପୁନେରେ ଥିବା ବିନିର ସାଙ୍ଗ ଅନ୍ୟ ଓରାଂଉଟାନ୍‌ଟି ମଧ୍ୟ ମରିଯାଇଥିଲା। ଫଳରେ ବଣମଣିଷ ଭଳି ଦେଖାଯାଉଥିବା ଏହି ବିରଳ ବନ୍ୟପ୍ରାଣୀ ଭାରତର କୌଣସି ଚିଡ଼ିଆଖାନାରେ ଦେଖିବାକୁ ମିଳୁନଥିଲା। କିନ୍ତୁ ଏବେ ନନ୍ଦନକାନନରେ ପର୍ଯ୍ୟଟକମାନେ ଏହି ସୁଯୋଗ ପାଇବେ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!