ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳଙ୍କ ଫୋକସରେ ଦକ୍ଷିଣ ଓଡିଶା । ଆଦିବାସୀଙ୍କ ଆଶା ଜିତି ଭୋଟ ହାତେଇବାକୁ ତୟାର ହେଲାଣି ରଣନୀତି । ଅବିଭକ୍ତ କୋରାପୁଟ ଉପରେ ରହିଛି ସଭିଙ୍କ ନଜର । ଏଭଳି ସ୍ଥିତିରେ ପ୍ରଦୀପ ମାଝୀଙ୍କୁ ନେଇ ବିଜେଡି କରିଛି ବଡ ପ୍ଲାନ । ମିଶନ ଦକ୍ଷିଣ ଓଡିଶା ପାଇଁ ବିଜେଡିର କାର୍ଡ ସାଜିବେ ପ୍ରଦୀପ ମାଝୀ ।
କଂଗ୍ରେସରୁ ଆସିବା ପରେ ପ୍ରଦୀପଙ୍କର ବିଜେଡିରେ ଗୁରୁତ୍ୱ ବଢିଛି । ବରିଷ୍ଠ ସାଧାରଣ ସଂପାଦକ ସହିତ ଅନ୍ୟାନ୍ୟ ଗୁରୁଦାୟିତ୍ୱ ଦିଆଯାଇଛି । ଆଦିବାସୀଙ୍କ ଅଧିକାର ପ୍ରସଙ୍ଗରେ ପକ୍ଷ ରଖିବାକୁ ଦଳ ପ୍ରଦୀପଙ୍କୁ ଆଗକୁ ଛାଡିଛି । ଆଦିବାସୀଙ୍କୁ ଜନଜାତି ମାନ୍ୟତାରେ କେନ୍ଦ୍ର ଅବହେଳା ହେଉ କି କୋଟିଆରେ ବିଜେପିର ନିଚ୍ଚ ରାଜନୀତି । କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଲଗାତାର ଟାର୍ଗେଟ କରୁଛନ୍ତି ପ୍ରଦୀପ । ଏଭଳି ସମୟରେ ଆଦିବାସୀଙ୍କ ହକ ପାଇଁ ଦିଲ୍ଲୀରେ ଲଢେଇ କରିବାକୁ ପ୍ରଦୀପଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି ବିଜେଡି । ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଦୀପଙ୍କୁ ନବରଙ୍ଗପୁର ଆସନରୁ ସାଂସଦ ଟିକେଟ ଦେଇ ଦିଲ୍ଲୀରେ ସ୍ୱର ଶାଣିତ କରିବାକୁ ଯୋଜନା କରୁଛି ବିଜୁ ଜନତା ଦଳ ।
୨୦୦୯ରେ ନବରଙ୍ଗପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ । ସେତେବେଳେ ତାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । କୁହାଯାଏ ଦିଲ୍ଲୀରେ ପ୍ରଦୀପଙ୍କର ଦବଦବା ମଧ୍ୟ ରହିଛି । ଏଣୁ ଅନୁଭୂତି, ଅଭିଜ୍ଞତା ଓ ଜନସମର୍ଥନ ପାଇଁ ତାଙ୍କୁ ଲୋକସଭା ସାଂସଦ ଟିକେଟ ଦେଇପାରେ ବିଜେଡି । ଏଭଳି ହେଲେ ପୁଣି ବିଧାନସଭା ଫେରିପାରନ୍ତି ବର୍ତ୍ତମାନର ନବରଙ୍ଗପୁର ସାଂସଦ ରମେଶ ମାଝୀ ।
ସେପଟେ ଦକ୍ଷିଣ ଓଡିଶାରେ ସଫା ହେବାକୁ ବସିଲାଣି ବିଜେପି । ଦଳର ହେଭିୱେଟ ବିଆରସରେ ମିଶିସାରିଛନ୍ତି । ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ଭଳି ନେତା ବିଜେପି ଛାଡି BRSରେ ମିଶିବା ପରେ ଅବିଭକ୍ତ କୋରାପୁଟରେ ବିଜେପି ମୁରବୀ ଶୂନ୍ୟ ହୋଇଯାଇଛି । ଯାହା ଦଳର ହାଇକମାଣ୍ଡଙ୍କର ଚିନ୍ତା ବଢାଇଛି । ସେଥିପାଇଁ ଦଳର ଶୀର୍ଷ ନେତୃତ୍ୱ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରି ସଂଗଠନ ସଜାଡିବାକୁ ଉଦ୍ୟମ କରୁଛନ୍ତି ।
ଗୋଟିଏ ପଟେ ବିଜେପି ଦକ୍ଷିଣ ଓଡ଼ିଶାରେ ମାଟି କାମୁଡି ପଡିଥିବା ବେଳେ କଂଗ୍ରେସ ମୁଣ୍ଡ ଟେକୁଛି । ଏଭଳି ସ୍ଥିତିରେ ଉଭୟ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରିବାକୁ ବିଜେଡି ଟ୍ରମ୍ପକାର୍ଡ ଭାବେ ପ୍ରଦୀପଙ୍କୁ ସାମ୍ନାକୁ ଛାଡିଛି । ଏମିତିରେ ଦକ୍ଷିଣ ଓଡ଼ିଶାରେ ପ୍ରଦୀପଙ୍କର କ୍ରେଜ ଆକାଶଛୁଆଁ । ଯାହାକୁ ହାତଛଡା କରିବାକୁ ଚାହୁଁନି ବିଜେଡି । ପ୍ରଦୀପଙ୍କ ଜରିଆରେ ଦକ୍ଷିଣ ଓଡ଼ିଶା ଗଡରେ କ୍ଲିନ୍ ସୁଇପ କରିବାକୁ ଯୋଜନା କରିଛି ଦଳ । ତେଣୁ ପ୍ରଦୀପଙ୍କୁ ପୁଣିଥରେ ତାଙ୍କ ପସନ୍ଦର ଆସନ ନବରଙ୍ଗପୁରରୁ ନୂଆଦିଲ୍ଲୀ ପଠାଇ ମିଶନ ଦକ୍ଷିଣ ଓଡ଼ିଶାର ମଙ୍ଗ ଧରାଇବାକୁ ବିଜେଡିର ଶୀର୍ଷ ନେତୃତ୍ୱ ମନସ୍ଥିର କରିଥିବା କୁହାଯାଉଛି । ରାଜ୍ୟସଭାରେ ଦଳର ଯୁବ ନେତୃତ୍ୱଙ୍କୁ ସୁଯୋଗ ଦେଇଛି, ସେହିଭଳି ଲୋକସଭାରେ ବିଜେଡି ନିଜର ସ୍ୱର ଶାଣିତ କରିବାକୁ ପ୍ରଦୀପଙ୍କ ଭଳି ଯୁବ ଚେହେରାଙ୍କୁ ମୈଦାନକୁ ଓହ୍ଳାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।




