ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିକୁ ଉନ୍ନତ କରୁଥିବା ବେଳେ ଏବେ ବିଶ୍ବବ୍ୟାଙ୍କ ପକ୍ଷରୁ ଓଡ଼ିଶାକୁ ୧୦୦ ମିଲିୟନ ଡଲାର ସହାୟତା ମିଳିଛି। ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଭତ୍ତିଭୂମିକୁ ସୃଦୃଢ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବାନୁମାନ ପ୍ରଣାଳୀକୁ ଅଧିକ ଦୃଢ କରିବାକୁ ୧୦୦ ମିଲିୟନ ଡଲାର ସହାୟତା ପ୍ରଦାନ କରିଛି।
ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପ୍ରାୟତ ପ୍ରତିବର୍ଷ ବାତ୍ୟା, ବନ୍ୟାର ସମ୍ମୁଖୀନ ହୋଇଥାଏ। ଗତ ୫ ଦଶନ୍ଧି ମଧ୍ୟରେ ୩୫ ଥର ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିଛି, ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ ବର୍ଷ ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବନ୍ୟା, ବାତ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ସମ୍ମୁଖୀନ ହେବା ପରେ ଓଡ଼ିଶାର ଯେଉଁ ହାରରେ ଆଗକକୁ ବଢିବା କଥା ତାହା ହୋଇପାରୁନାହିଁ। କାରଣ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ପ୍ରଚୁର କ୍ଷତି ଘଟାଉଛି।
୧୯୯୯ ଅକ୍ଟୋବରରେ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ବଦଳିଯାଇଥିଲା ଉପକୂଳ ଓଡ଼ିଶାର ଭୌଗଳିକ ସ୍ଥିତି । ମହାବାତ୍ୟାର କରାଳ ଧ୍ବଂସଲୀଳା ଓ ବ୍ୟାପକ ଧନଜୀବନ ହାନି ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ତେବେ ଏହାର ପରେ ଥଇଥାନ ଓ ପୁନଃନିର୍ମାଣର ଜୀବନମନ୍ତ୍ର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନାର ମାଷ୍ଟରପ୍ଲାନର କରିଥିଲେ।
୧୯୯୯ ପରେ ରାଜ୍ୟ ମହାବାତ୍ୟା ପରଠାରୁ ଫାଇଲିନ୍, ହୁଡ୍ହୁଡ୍, ତିତଲି, ଫନୀ, ୟସ ଭଳି ପ୍ରଚଣ୍ଡ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ଭୀଷଣ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ଅବଶ୍ୟ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ଦରଦୀ ସରକାରଙ୍କ ନେତୃତ୍ୱରେ ‘ଶୂନ୍ୟ ଜୀବନହାନି’ ଆଦର୍ଶକୁ ଅନୁସରଣ କରି ଓଡ଼ିଶା ଜନଜୀବନ କ୍ଷତି ରୋକିବାରେ ସଫଳତା ହାସଲ କରିଛି ସତ; କିନ୍ତୁ କ୍ଷେତ ଫସଲ ଓ ସମ୍ପତ୍ତିବାଡ଼ିର ଯେଉଁ ବ୍ୟାପକ କ୍ଷତି ଘଟୁଛି ତାହା ଓଡ଼ିଶାର ଅର୍ଥନୀତିକୁ ଦୋହଲାଇ ଦେଉଛି।

