୭୭ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନହବୀନ ପଟ୍ଟନାୟକ। ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ବିକାଶର ସବୁ କ୍ଷେତ୍ରରେ ଏହି ରୂପାନ୍ତର ନୂଆ ଆଶା ସୃଷ୍ଟି କରିଛି । ରାଜ୍ୟର ସବୁ ଲୋକ ଧନୀ, ଗରିବ, ମଧ୍ୟବିତ୍ତ, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି । ସବୁ ଅଞ୍ଚଳ, ସବୁ ବର୍ଗର ଲୋକ ଏହାର ସୁଫଳ ପାଉଛନ୍ତି । ରାଜ୍ୟରେ 5T ରୂପାନ୍ତର କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ଶାସନରେ ଲୋକମତର ଗୁରୁତ୍ଵ ବୃଦ୍ଧି କରିଛି । ଓଡିଶାର ଅର୍ଥନୀତି ମଜବୁତ୍ ହେଉଛି ।
୭୭ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସୁଛି । ଗରିବ ଲୋକର କଲ୍ୟାଣ ମୋ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଚାଷୀ, ଶ୍ରମିକ ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର କାମ କରୁଛି । ନିକଟରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଆଉ ୫୦ଟି ଗୋଷ୍ଠୀର ଶ୍ରମିକମାନଙ୍କୁ ଏବେ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ମଧୁବାବୁ ପେନସନ୍ ଯୋଜନାରେ ମଧ୍ୟ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଗଲା ।
ଓଡିଶାର ବିକାଶରେ ସମସ୍ତଙ୍କର ଭାଗୀଦାର ଅଛି, ଅଧିକାର ଅଛି । ସମସ୍ତଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢୁଛୁ । ମା’ମାନେ ହେଉଛନ୍ତି ଆମର ବିକାଶର ପ୍ରତିଛବି । ମା’ମାନଙ୍କ ସଶକ୍ତିକରଣ ଓଡିଶାର ସଶକ୍ତିକରଣ । ମିଶନ ଶକ୍ତି ଆଜି ମା’ମାନଙ୍କ ରୂପାନ୍ତରଣର ଇଂଜିନ୍ ହୋଇଛି । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ଉଦ୍ୟୋଗୀ ହେବା ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେ ହିଁ ଏକ ସମୃଦ୍ଧ ଓଡିଶା, ଏକ ନୂଆ ଓଡିଶାର ଆଧାର ହୋଇଛନ୍ତି । ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି । ବିପର୍ଯ୍ୟୟ ପରିଚାଳନା ହେଉ ବା ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ହେଉ ବା ଶିକ୍ଷା, ଭିତ୍ତିଭୂମି, ସବୁ କ୍ଷେତ୍ରରେ ମୋ ଓଡିଶା ଏବେ ମଡ଼େଲ ହୋଇଛି ।
ଆମର ପ୍ରତି ଗାଁ, ପ୍ରତି ପଞ୍ଚାୟତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ମହାପ୍ରଭୁ ହିଁ ଆମ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ସହ ପ୍ରତି ଗାଁରେ ଏକ ଆକାଂକ୍ଷୀ ଓଡ଼ିଶାର ଭିତ୍ତି ପକାଇବା ପାଇଁ ଆମେ ଚାରି ହଜାର କୋଟି ଟଙ୍କାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୋ ଓଡିଶା ଏକ ନୂଆ ଓଡିଶା, ସଶକ୍ତ ଓଡ଼ିଶା ହେବା ରାସ୍ତାରେ ଆଗକୁ ବଢୁଛି । ତେଣୁ ରୂପାନ୍ତରର ଏ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।



