ବିଏମସି କମିଶନରଙ୍କୁ ପିପୁଲ୍ସ ଅଫିସର ସମ୍ମାନ

ଜୀବନର ସାତରଙ୍ଗ ଗୋଟିଏ ରଙ୍ଗ, ଜୀବନର ସାତ ସୂର ଗୋଟିଏ ସ୍ବର, ଅଭାବ ଅଭାବ ଆଉ ଅଭାବ…ତା ଭିତରେ ଆଗକୁ ବଢିବାର ପଣ, ଶୀର୍ଷ ଛୁଇଁବାର ସ୍ବପ୍ନ ଆଉ ସଂଘର୍ଷକୁ ସାଥୀ କରି ସଫଳତା ପାଇବାର ଆନନ୍ଦ । ତାହା କେଉଁ ସ୍ବର୍ଗ ସୁଖଠୁ କମ ନୁହେଁ, କେଉଁ ଇତିହାସ ଲେଖିବାଠୁ ବଳକା ନୁହେଁ । ଗରିବିର ତାଡ଼ନା ଭିତରେ ଅଭାବର ପାଚେରିକୁ ଭେଦ କରି ସଫଳତାର ଦୂର ଆକାଶରେ ମୁକ୍ତ ବିହଙ୍ଗ ହୋଇ ଉଡ଼ିବୁଲିବାର ଆନନ୍ଦ ହିଁ କହୁଛି ଆଜିର ଦିନ ମୋର । ଆଉ ଏ ଦିନ ଆଇଏଏସ ଅଫିସର ତଥା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କର ।

ବିଜୟ ଅମୃତା କୁଲାଙ୍ଗେ । ଗରିବ ଗାଉଁଲି ପିଲାଟିଏ । ସେ ପିଲା ଦିନେ ଯେ ସଫଳତାର ବ୍ରାଣ୍ଡ ଆମ୍ବାସଡର ସାଜିବ ସେଦିନ ମହାରାଷ୍ଟ୍ର ବି ଏକଥା କଳ୍ପନା କରିପାରିନଥିଲା । ସେହି ଅକଳ୍ପନୀୟ କାହାଣୀକୁ ବାସ୍ତବତାର ରୂପ ଦେଇ ଆଜି ବିଜୟ ସାଜିଛନ୍ତି ଗୋଟିଏ ପ୍ରେରଣାର ଗଙ୍ଗା, ଉଦାହରଣର ହିମାଳୟ । ବିଜୟଙ୍କ ବାପା ଥିଲେ ଦରଜୀ ଆଉ ମାଆ ଦିନ ମଜୁରିଆ । ଟେଲରିଂ ମେସିନର ଚକ ବୁଲିଲେ ପରିବାରରେ ଚୁଲିରୁ ଧୂଆଁ ଉଠୁଥିଲା । ମାଆ ପରର ଚାଷ ଜମିରେ କାମ କରି ଦୁଇ ପଇସା ଆଣିଲେ ତିନି ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ମିଳୁଥିଲା । ସ୍ଥିତି ଏମିତି ଥିଲା ଯେ ବିଜୟଙ୍କ ପରିବାର ଦିନକୁ ୨୦୦ ଟଙ୍କା ରୋଜଗାର କରିବାକୁ ବି ସକ୍ଷମ ନଥିଲା । ଏଭଳି ଆର୍ଥିକ ସ୍ଥିତିରେ ବିଜୟ ଦେଖିଥିଲେ ଲମ୍ବା ସ୍ବପ୍ନ । ଅଭାବର ପରିଧି ଭିତରେ ବି ତାଙ୍କ ମନରେ ଡାକ୍ତର ହେବାର ଇଚ୍ଛା ବସା ବାନ୍ଧିଥିଲା । ମେଧାବୀ ବିଜୟ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ପୁଅର ଆଗ୍ରହ ଦେଖି ବାପାମାଆ ମଧ୍ୟ ଆର୍ଥିକ ସ୍ଥିତି ଭୁଲିଯାଇ ସମ୍ମତି ପ୍ରକାଶ କରିଥିଲେ । ହେଲେ ବାସ୍ତବ ସ୍ଥିତି ଓ ବାପାମାଆଙ୍କର ଅବସ୍ଥା ଦେଖି ବିଜୟ ନିଜେ ନିଜେ ପଛକୁ ହଟିଯିବାକୁ ବାଧ୍ୟ ହୋଇଥିଲେ । ଡାକ୍ତର ହେବାର ସ୍ବପ୍ନକୁ ଛାତି ତଳର କୋହଭରା ଅଗଣାରେ ଚାପିଦେଇ ଉଚ୍ଚଶିକ୍ଷା କରିଥିଲେ । ପରେ ଏକ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ବିଜୟ । ସେଠାରୁ ମିଳୁଥିବା ଦରମାରେ ପରିବାର ସିନା କଷ୍ଟେମଷ୍ଟେ ଚଳିଗଲା ହେଲେ ବିଜୟଙ୍କ ମନର ସ୍ବପ୍ନର ଶୋଷ କିନ୍ତୁ ମେଣ୍ଟିନଥିଲା । ଲକ୍ଷ୍ୟ ଏବଂ ନିଜର ପ୍ରତିବଦ୍ଧତାରୁ ସେ ପଛକୁ ହଟିନଥିଲେ । ନିଜ ସ୍ବପ୍ନ ଉପରେ ବିଜୟୀ ହେବା ପ୍ରତିବଦ୍ଧତା ବିଜୟଙ୍କୁ ଆଗେଇନେଇଥିଲା ଭାରତୀୟ ପ୍ରଶାସନିକ ସେବା ଆଡ଼କୁ । ଶିକ୍ଷକ ଚାକିରି ସାଙ୍ଗକୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଶେଷରେ ସେ ବନିଗଲେ ଆଇଏଏସ । ୨୦୧୩ ମସିହାରେ ଆଇଏଏସ ହୋଇ ନିଜର ଦକ୍ଷତା ସାଙ୍ଗକୁ ଗରିବି ଜୀବନରେ ଲକ୍ଷ୍ମଣ ରେଖା ଟାଣିଥିଲେ ବିଜୟ ଅମୃତା କୁଲାଙ୍ଗେ ।

ଏବେ ବିଏମସି କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଭୁବନେଶ୍ବରକୁ ବିଶ୍ବସ୍ତରୀୟ ସହର ଭାବେ ଗଢିତୋଳିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ । କ୍ଲିନ ଭୁବନେଶ୍ବର, ଡଷ୍ଟବିନ ଫ୍ରି ସହର, ହକି ବିଶ୍ବକପ ସମୟରେ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ, ଉଠାଦୋକାନୀ ମୁକ୍ତ ସହର, ଜାଗା ମିଶନ, ଡ୍ରିଙ୍କ ଫ୍ରମ ଟ୍ୟାପ ଆଦି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ଭୁବନେଶ୍ବରବାସୀଙ୍କ ମନରେ ବିଜୟଙ୍କୁ ସ୍ବତନ୍ତ୍ର ସ୍ଥାନ ଦେଇଛି । ଗଞ୍ଜାମ ଜିଲ୍ଲାପାଳ ଭାବେ ବିଜୟଙ୍କ ଦକ୍ଷତା ଓ ଲୋକପ୍ରିୟତା ସାରା ରାଜ୍ୟ ଦେଖିଛି । ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତାଙ୍କର ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି । କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲା ରାଜ୍ୟର ହଟସ୍ପଟ୍ ପାଲଟିଥିଲା । ପ୍ରଶାସନକଳକୁ ସକ୍ରିୟ କରି ମହାମାରୀର ସଫଳ ମୁକାବିଲା କରିପାରିବାରେ ବିଜୟ ସାଜିଥିଲେ ଉଦାହରଣ । ତାଙ୍କପାଇଁ ବିଶ୍ୱସ୍ତରରେ ଗଞ୍ଜାମ ମଡ଼େଲକୁ ନେଇ ଚର୍ଚ୍ଚା ହୋଇଥିଲା ।

ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ଆଜି ସଫଳତାର ଶୀର୍ଷକୁ ଛୁଇଁବାରେ ସଫଳ ହୋଇଛନ୍ତି ବିଜୟ । ଅଳ୍ପ ଦିନରେ ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ କମ୍ ଲୋକଙ୍କ ଅଧିକାରୀ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ବିଜୟ ଅମୃତା କୁଲାଙ୍ଗେ। ଏଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କୁ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବରେ ପିପୁଲ୍ସ ଅଫିସର ସମ୍ମାନରେ ସମ୍ମାନିତ କରାଯାଇଛି ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!