ଗତ ୨୦୧୯ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ୩ ଆସନ ମଧ୍ୟରୁ ୩ ଆସନକୁ କ୍ଲିନ ସୁଇପ କରିଥିଲା ବିଜେଡି । କିନ୍ତୁ ଆଗାମୀ ନିର୍ବାଚନରେ ଏହି ୩ ଆସନରୁ ୨ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସଂକେତ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଗୋଟିଏ ଆସନରେ ପୂର୍ବଭଳି ପୁରୁଣା ଚେହେରାଙ୍କୁ ସୁଯୋଗ ମିଳିବା ନେଇ ଦଳର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଥିବା କୁହାଯାଉଛି । ଭୁବନେଶ୍ୱର ମହାନଗର ନିଗମ ପରିଧିରେ ଏକାମ୍ର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର ଆସନ ରହୁଛି । ଏହି ୩ ଆସନରେ ଦଳ ପୂର୍ବଥର ବିଜୟୀ ହୋଇଥିଲା ସତ କିନ୍ତୁ ଆଗାମୀ ନିର୍ବାଚନରେ ଦଳ ୨ ଆସନରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ବୋଲି କୁହାଯାଉଛି ।
ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କୁ ଦଳର ଶୀର୍ଷ ନେତୃତ୍ୱ ଟିକେଟ ରେସରୁ ଆଉଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବୁନୁଙ୍କ ବିରୋଧରେ ଏକାଧିକ ଅସନ୍ତୁଷ୍ଟ ଗୋଷ୍ଠୀ ମୁଣ୍ଡ ଟେକିଲାଣି । ଯେଉଁମାନେ ଦଳର ପର୍ଯ୍ୟବେକ୍ଷକଙ୍କୁ ଭେଟି ବୁନୁଙ୍କୁ ଟିକେଟ ନଦେବାକୁ ଫେରାଦ ହୋଇଥିବା ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ବୁନୁଙ୍କୁ ଟିକେଟ ମିଳିଲେ ଦଳ ସେମାନଙ୍କର ସହଯୋଗ ଆଶା ଛାଡିଦେବ ବୋଲି ପର୍ଯ୍ୟବେକ୍ଷକଙ୍କୁ ରୋକଠୋକ ଶୁଣାଇଥିବା କୁହାଯାଉଛି । ତେଣୁ ଭୁବନେଶ୍ୱର ମଧ୍ୟ ଆସନକୁ ପୁଣିଥରେ ହାତେଇବା ପାଇଁ ଏବେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସମସ୍ତ ଡିମାଣ୍ଡ ମାନିବାକୁ ଦଳ ପ୍ରସ୍ତୁତ ଥିବା କୁହାଯାଉଛି । ଆଉ ଯଦି ଏପରି ହୁଏ ତେବେ ବୁନୁଙ୍କର ବିଜେଡି ଟିକେଟରୁ ପୁଣିଥରେ ବିଧାୟକ ହେବା ସ୍ୱପ୍ନ ଅଧୁରା ରହିଯିବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଏକାମ୍ର ଭୁବନେଶ୍ୱର ଆସନରୁ ବିଜୟର ହ୍ୟାଟ୍ରିକ ମାରିଥିବା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ ଆଗାମୀ ନିର୍ବାଚନରେ ବିଜେଡି ନିରାଶ କରିପାରେ ବୋଲି ଶୁଣିବାକୁ ମିଳୁଛି । ଅଶୋକଙ୍କ ବିରୋଧରେ ଏବେ ଏକାମ୍ର ଭୁବନେଶ୍ୱରରେ ପ୍ରବଳ ଜନ ଅସନ୍ତୋଷ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଦଳ ଏଠାରେ ପୁଣିଥରେ ରିପିଟ୍ କରି ରିସ୍କ ନେବାକୁ ଚାହୁଁନଥିବା କୁହାଯାଉଛି । ବରଂ ଅଶୋକଙ୍କ ବଦଳରେ କୌଣସି ନୂଆ ଚେହେରାଙ୍କୁ ବିଜେଡି ଏକାମ୍ର ଆସନରେ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ଏବେ ଅଶୋକଙ୍କ ଚିନ୍ତା ବଢାଇ ଦେଇଛି ।

ରାଜଧାନୀ ରାଜନୀତିରେ ଉଭୟ ଅନନ୍ତ ଓ ଅଶୋକ ଏବେ ଡେଞ୍ଜର ଜୋନରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସେଫ୍ ଜୋନରେ ଥିବା କୁହାଯାଉଛି । ଅଥାର୍ତ ଆଗାମୀ ନିର୍ବାଚନରେ ସୁଶାନ୍ତଙ୍କ ଆସନ ସୁରକ୍ଷିତ ଥିବା ଶୁଣିବାକୁ ମିଳୁଛି । ୨୦୧୯ରେ ସୁଶାନ୍ତ ପ୍ରଥମଥର ନିର୍ବାଚିତ ହୋଇଥିଲେ ମଧ୍ୟ ଏବେ ବି ଦଳ ଭିତରେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ରହିଛି । ଭୁବନେଶ୍ୱରରେ ବିଜେଡିକୁ ସଙ୍ଗଠିତ କରିବାର ଗୁରୁଦାୟିତ୍ୱ ଏବେ ସୁଶାନ୍ତଙ୍କ କାନ୍ଧରେ ରହିଛି । ଯେଉଁ ଦାୟିତ୍ୱ ପୂର୍ବରୁ ବୁନୁଙ୍କ କାନ୍ଧରେ ରହୁଥିଲା ତାହାକୁ ଏବେ ସୁଶାନ୍ତ ବେଶ ସୁରୁଖୁରରେ କରୁଥିବାରୁ ଦଳର ବ୍ଲୁ ଆଏଡ ବୟ ପାଲଟିଛନ୍ତି । ଏହାଛଡା ଭୁବନେଶ୍ୱର ଉତ୍ତର ଆସନରେ ପୂର୍ବରୁ କୌଣସି ପ୍ରାର୍ଥୀଙ୍କୁ ୨ ଥର ସୁଯୋଗ ମିଳିନଥିବା ବେଳେ ସୁଶାନ୍ତ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବେ ବୋଲି କୁହାଯାଉଛି ।

