ଲୋକେ ଆସିବେନି, ପ୍ରଶାସନ ଲୋକଙ୍କ ପାଖକୁ ଯିବ। ୨ବର୍ଷର କୋଭିଡ୍ କଟକଣା ଯୋଗୁଁ ବ୍ୟାଘାତ ହୋଇଥିଲା ଲୋକଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏମଓ ଲୋକଙ୍କ ପାଖକୁ ଯାଇଥିଲା। ଅଭିଯୋଗ ଶୁଣିଲା ଓ ସମସ୍ୟାର ସାମାଧାନ ବି କଲା। ବିଧାନସଭାରେ ବିବୃତି ରଖି ବିରୋଧୀଙ୍କ ହୀନ ରାଜନୀତି ଓ ମିଛ ପ୍ରଚାରର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ସିଏମଓଙ୍କ ଜିଲ୍ଲାଗସ୍ତ, ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଚପର ଖର୍ଚ୍ଚ ନେଇ ବିବୃତିରେ ସ୍ପଷ୍ଟବାର୍ତ୍ତା ଦେଇଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ CMOର ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିଥିଲେ। ଗତ ୬ମାସ ମଧ୍ୟରେ ୧୯୦ରୁ ଅଧିକ ସ୍ଥାନରେ CMO ପହଞ୍ଚିଥିଲା। ପ୍ରତିଦିନ ତିନିରୁ ପାଞ୍ଚଟି ସ୍ଥାନରେ ଅଭିଯୋଗ ଶୁଣାଣି ହେଉଥିଲା। ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ ୫୭ହଜାର ୪୪୨ଟି ଆବେଦନ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରୁ ଏବେ ସୁଦ୍ଧା ୪୩ହଜାର ୫୩୬ଟି ଆବେଦନର ସମାଧାନ ହୋଇସାରିଛି। ସାରା ଦେଶରେ ଲୋକଙ୍କ ଅଭିଯୋଗ ସମାଧାନର ଏହା ସବୁଠାରୁ ପ୍ରଭାବଶାଳୀ ବ୍ୟବସ୍ଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଅଭିଯୋଗ ସେଲ୍ ସବୁବେଳେ CMO ଦ୍ୱାରା ପରିଚାଳିତ ହୁଏ। ମନ୍ତ୍ରୀମାନେ ଏଥିରେ ସାମିଲ ହେବା ଆବଶ୍ୟକ ପଡିନାହିଁ। ଆବେଦନପତ୍ର ଗ୍ରହଣ ହେବା ପରେ ସେଗୁଡିକୁ ସଂପୃକ୍ତ ବିଭାଗକୁ ପଠାଯାଏ। ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଧିକାରୀଙ୍କ ପ୍ରସଙ୍ଗ କେଉଁଠି ବୋଲି ନବୀନ କହିଛନ୍ତି। ଆବେଦନର ସମାଧାନରେ ମନ୍ତ୍ରୀମାନେ ବିଭାଗର ମୁଖ୍ୟ ଭାବେ ପ୍ରମୁଖ ଭୂମିକା ନିଅନ୍ତି।
୫୭ହଜାର ଅଭିଯୋଗକାରୀ ଯଦି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାନ୍ତା। ଦୈନିକ ମଜୁରୀ ବି ହାତଛଡା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ CMO ର ତ୍ରୁଟି କେଉଁଠି? ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା ବେଳେ CMOର ଅଭିଯୋଗ ଶୁଣାଣି ପାଇଁ ସମାନ ହାରରେ ହେଲିକପ୍ଟର ଖର୍ଚ୍ଚ ହୋଇଛି ବୋଲି ନବୀନ କହିଛନ୍ତି। ହେଲିକପ୍ଟର ବ୍ୟବହାର ମାତ୍ରାଧିକ ଖର୍ଚ୍ଚ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ନବୀନ କହିଛନ୍ତି।




