()ରାଜସ୍ଥାନ ବିଜେପିରେ ଅଲ ଇଜ ନଟ୍ ଓ୍ବେଲ୍ । ପ୍ରାର୍ଥୀ ଘୋଷଣା ପରେ ଦଳରେ ଉଗ୍ର ହେଉଛି ଗୋଷ୍ଠୀ କନ୍ଦଳ । ବିଜେପି ଘୋଷଣା କରିଥିବା ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦଳର ସାତ ଜଣ ସାଂସଦ ରହିଛନ୍ତି । ହେଲେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କର କୌଣସି ସମର୍ଥକ ନାହାଁନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ବସୁନ୍ଧରାଙ୍କ ଅତି ନିକଟତର କୁହାଯାଉଥିବା ବିଧାୟକ ନରପାଟ ସିଂ ରାଜଭି, ରାଜପାଲ ସିଂ ଶେଖାଓ୍ବତଙ୍କ ଟିକେଟ ପାଇନାହାନ୍ତି । କେନ୍ଦ୍ରୀୟ ନେତୃତ୍ବ ବସୁନ୍ଧରାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି ।
ଟିକେଟ କଟିଥିବା ନେତା ଏବେ ଦଳରେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି । ସାଂସଦ ଦିୟା କୁମାରୀଙ୍କୁ ଦଳ ବିଦ୍ୟାଧର ନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି । ସେପଟେ ଭରତପୁର ନଗର ବିଧାନସଭା କ୍ଷେତ୍ରରୁ ଅନିତା ସିଂ ଗୁରଜର ଟିକେଟ ନପାଇବା ପରେ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଟିକେଟ ଘୋଷଣା ପରେ ମଧ୍ୟପ୍ରଦେଶରେ ବିଜେପି ଅଡ଼ୁଆରେ ପଡ଼ିଯାଇଥିବାବେଳେ ଏବେ ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରୁଛି । ଯାହାକୁ ନେଇ କେନ୍ଦ୍ରୀୟ ନେତାଙ୍କ ମୁଣ୍ଡବଥା ବଢିଯାଇଛି ।



